ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି– ଗଦା ଗଦା ଅଳିଆ ଆବର୍ଜନା ଯୋଗୁଁ ଦୁର୍ଗନ୍ଧରେ ଫାଟିପଡୁଛି ମାଲକାନଗିରି ମୁନିସିପାଲଟିର ୱାର୍ଡ ନଂ-୧ ଅନ୍ତର୍ଗତ ମୁଣ୍ଡାଗୁଡ଼ା ଗ୍ରାମ। ଗ୍ରାମବାସୀ ଅନେକଥର ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ ମଧ୍ୟ କେହି ବି ଶୁଣିନଥିଲେ।

ଅପରିବେଶ ପରିସ୍ଥିତିରେ ରହିବା ଗ୍ରାମବାସୀଙ୍କ ପାଇଁ ମୁସ୍କିଲ ହୋଇଗଲାଣି। ମାଲକାନଗିରି ମୁନିସିପାଲଟିର ଡମ୍ପିଂ ୟାର୍ଡକୁ ନେଇ ଚାଲିଛି ଉତ୍ତେଜନା। ମୁଣ୍ଡାଗୁଡ଼ା ଗ୍ରାମ ନିକଟରେ ଗଦା କରାଯାଉଛି ଅଳିଆ ଆବର୍ଜନା। ଅଳିଆ ଆବର୍ଜନା ଯୋଗୁଁ ହନ୍ତସନ୍ତ ଓ ରୋଗାଗ୍ରସ୍ତ ହେଉଥିବା ମୁଣ୍ଡାଗୁଡ଼ାବାସୀ ଅଭିଯୋଗ କରିଛନ୍ତି।

ଆଜି ସକାଳେ ଅଳିଆ ଆବର୍ଜନା ବୋଝେଇ ଗାଡିକୁ ଅଟକାଇଥିଲେ ଗ୍ରାମବାସୀ। କିଛି ସମୟ ଧରି ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗାଁ ଲୋକଙ୍କ କହିବାନୁଯାୟୀ ଗତ ଦେଢ଼ ବର୍ଷ ହେଲା ଏଭଳି ଅଳିଆ ଆବର୍ଜନା, ମୃତ ଗାଈଗୋରୁ ଓ କୁକୁର ଶବ ଆଣି ଏଠି ଫୋପାଡ଼ି ଦେଇ ଚାଲି ଯାଉଛନ୍ତି। ଏହାଦ୍ଵାରା ସେହି ରାସ୍ତା ଦେଇ ଯିବାକୁ ଗ୍ରାମବାସୀଙ୍କ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ଏହାଛଡ଼ା ଗୃହପାଳିତ ଗାଈ, ଛେଳି ସେହି ଅଳିଆ ଆବର୍ଜନା ଖାଇ ମୃତ୍ୟୁବରଣ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଉପଜିଲ୍ଲାପାଳ ନିଜେ କିଛିମାସ ତଳେ ପରିସ୍ଥିତି ଅନୁଧ୍ୟାନ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା କହିଛନ୍ତି। ଯଦି ଆଗାମୀ ଦିନରେ ଏଭିଳି କାର୍ଯ୍ୟକଳାପ ଜାରି ରହିବ ତେବେ ଜିଲ୍ଲା ମୁଖ୍ୟରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଆଜି ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଗୁହାରୀ ଜଣାଇବେ ବୋଲି ମୁଣ୍ଡାଗୁଡ଼ାବାସୀ ସୂଚନା ଦେଇଛନ୍ତି।

Comment