ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ତେଜିଛି। ତେବେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର କୋର୍ଟକୁ ବଲ୍ ଗଡ଼ାଇ ଦେଇଛନ୍ତି। ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ପାଇଁ ନବୀନ ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖିଛନ୍ତି।

ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ସଂସଦ ନିଜର ସ୍ୱତନ୍ତ୍ର କ୍ଷମତାକୁ ଉପଯୋଗ କରି ହାଇକୋର୍ଟ ବେଞ୍ଚ୍ ସ୍ଥାପନ ପାଇଁ ପଦକ୍ଷେପ ନେବା ଦରକାର।

୨୦୧୩ ସେପ୍ଟେମ୍ବର ୨୮ ଓ ୨୦୧୪ ଫେବୃଆରୀ ୧୩ରେ ହାଇକୋର୍ଟ ବେଞ୍ଚ୍ ସ୍ଥାପନ ପାଇଁ ଚିଠି ଲେଖିଥିଲେ। କିନ୍ତୁ ଏଯାଏଁ ଗୋଟିଏ ବି ବେଞ୍ଚ ପ୍ରତିଷ୍ଠା ହୋଇପାରି ନାହିଁ। ଫଳରେ ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ତେଜୁଛି।

କିଛିଦିନ ତଳେ ପଶ୍ଚିମ ଓଡ଼ିଶା କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଦାବି କରିଥିଲେ। ପୂର୍ବରୁ ପଶ୍ଚିମ ଓଡ଼ିଶାର ଆଇନଜୀବୀମାନେ ବାରମ୍ବାର ଆନ୍ଦୋଳନ କରିବା ସହ ଓଡ଼ିଶା ହାଇକୋର୍ଟ ସମ୍ମୁଖରେ ପ୍ରତିବାଦ କରିଥିଲେ। କିନ୍ତୁ ସେମାନଙ୍କ ଦାବି ପୂରଣ ହୋଇ ନଥିଲା। ଶେଷରେ ଆଜି ନିର୍ବାଚନ ପୂର୍ବରୁ ନବୀନ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।

Comment