ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ ମାସ ପୂର୍ବରୁ ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା। ଏ ସମ୍ପର୍କରେ ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆର୍ଏସ୍ ସୁପ୍ରିମୋ କେ ଚନ୍ଦ୍ରଶେଖର ରାଓ (କେସିଆର୍)। ବିଧାନସଭା ଭଙ୍ଗ ସମ୍ପର୍କରେ କେସିଆର୍ ଆଜି ରାଜ୍ୟପାଳ ଇଏସ୍ଏଲ୍ ନରସିଂହାଙ୍କୁ ଭେଟି ଅବଗତ କରିଛନ୍ତି। ରାଜ୍ୟପାଳ ଏହାକୁ ଗ୍ରହଣ କରିଛନ୍ତି।
ଆଜି ସକାଳେ କେସିଆର୍ଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ। ଏହି ବୈଠକରେ ବିଧାନସଭା ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ସହମତ ହୋଇଥିଲେ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ। କ୍ୟାବିନେଟ ବୈଠକ ପରେ କେସିଆର୍ ରାଜଭବନ ଅଭିମୁଖେ ଯାଇଥିଲେ। କ୍ୟାବିନେଟ୍ ନେଇଥିବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟପାଳଙ୍କୁ ଜଣାଇଥିଲେ।
ତେଲେଙ୍ଗାନାରେ ଆଗୁଆ ନିର୍ବାଚନ ହେବା ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଡିସେମ୍ବରରେ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହି ସମୟରେ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି କୁହାଯାଉଛି।
୨୦୧୪ ମେ’ ମାସରେ ତେଲେଙ୍ଗାନାରେ ନିର୍ବାଚନ ହୋଇଥିଲା। ଲୋକସଭା ସହିତ ବିଧାନସଭା ନିର୍ବାଚନ ଏକାଠି ହୋଇଥିଲା। ୧୧୯ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଟିଆର୍ଏସ୍ର ୬୩ ଜଣ ସଦସ୍ୟ ରହିଥିଲେ। ନିୟମ ଅନୁସାରେ ୨୦୧୯ ଏପ୍ରିଲ ମାସରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବା କଥା। କିନ୍ତୁ କେସିଆର୍ ଆଗୁଆ ବିଧାନସଭା ଭଙ୍ଗ କରିଛନ୍ତି।
ତେଲେଙ୍ଗାନାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅଲଗା ଅଲଗା ହେବ ବୋଲି ସ୍ପଷ୍ଟ ହୋଇଛି।














