ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ଚୁଲୁବୁଲି ନାୟିକା ରୀୟା ଦେଙ୍କ ଅପୋଜିଟରେ ପାଞ୍ଚଜଣ ନାୟକଙ୍କୁ ଦେଖିବାକୁ ମିଳିବ ଅପକମିଂ ଓଡ଼ିଆ ସିନେମା ପ୍ରେମ ପାଇଁ ମହାଭାରତରେ ଆସନ୍ତୁ ଜାଣିବା ଏହି ଚଳଚ୍ଚିତ୍ର ବିଷୟରେ ଆଉ କିଛି ରୋଚକ କଥା

ଜଣେ ନାୟିକା, ତାଙ୍କ ପଛରେ ପଡ଼ିଯାଇଛନ୍ତି ଜଣେ କି ଦୁଇଜଣ ନୁହେଁ, ପାଞ୍ଚଜଣ ଯୁବକ। ଏହି ନାୟିକା ଜଣକ ହେଲେ ରୀୟା ଦେ। ସେ ଏଭଳି ଏକ ଚରିତ୍ର ନିଭାଇବାକୁ ଯାଉଛନ୍ତି ‘ପ୍ରେମ ପାଇଁ ମହାଭାରତ’ ସିନେମାରେ।

ପ୍ରେମ ପାଇଁ ମହାଭାରତ ବିଷୟବସ୍ତୁ

ନାୟକ (ସମ୍ବିତ୍) ଭଲ ପାଆନ୍ତି ନାୟିକା (ରୀୟା)ଙ୍କୁ। ଉଭୟଙ୍କର ମଧ୍ୟରେ ଖୁବ୍ ଭଲ ପ୍ରେମସମ୍ପର୍କ। ଏକ ଦୁର୍ଘଟଣାର ଶିକାର ହୋଇ ନାୟିକାଙ୍କୁ ଉଦ୍ଧାର କରନ୍ତି ଚାରିଜଣ ଯୁବକ। ସେମାନେ ଘଟଣାକ୍ରମେ ମଧ୍ୟ ଉକ୍ତ ନାୟିକାଙ୍କର ରୂପ ଲାବଣ୍ୟରେ ପ୍ରଭାବିତ ହୋଇ ତାଙ୍କ ପ୍ରେମରେ ପଡ଼ିଯାଆନ୍ତି। ନାୟିକା ସମ୍ପର୍କରେ ଜାଣିବା ପରେ ନାୟକ ବି ନିଜର ପ୍ରେମକୁ ଫେରି ପାଇବା ପାଇଁ ଚେଷ୍ଟା କରେ।

ତା’ ପରେ ଆରମ୍ଭ ହୁଏ ‘ପ୍ରେମ ପାଇଁ ମହାଭାରତ’। ରୀୟାଙ୍କର ପ୍ରେମିକମାନେ ହେଉଛନ୍ତି ସମରେଶ ରାଉତରାୟ, ବବି ମିଶ୍ର, ଶ୍ରୀତମ୍ ଦାସ ଓ ପିଣ୍ଟୁ ନନ୍ଦ। ଏହି ଅଭିନେତାମାନଙ୍କୁ ଦର୍ଶକ ଅନେକ ସିନେମାରେ ଖଳନାୟକ ଭୂମିକାରେ ଦେଖିବାକୁ ପାଇଛନ୍ତି। ଏଥର ସେମାନେ ପରଦାରେ କିଛି ଭିନ୍ନ ଧରଣର ଖଳନାୟିକୀ ଦେଖାଇବେ ବୋଲି ଶୁଣିବାକୁ ମିଳୁଛି।

ଅଭିନେତା ଶ୍ରୀତମ ଦାସଙ୍କର ଏଥିରେ ଏକ ଭିନ୍ନ ଗେଟଅପ୍‌ ରହିଛି। ସେ ଏଥିରେ ଜଣେ ମହିଳା ସ୍ୱଭାବର ପୁରୁଷ ଭୂମିକାରେ ଦେଖାଦେବେ।

‘ପ୍ରେମ ପାଇଁ ମହାଭାରତ’ରେ ରୀୟାଙ୍କ ପଛରେ ବାୟା ହୋଇଥିବା ଏହି କଳାକାରଙ୍କ ମଧ୍ୟରୁ ରୀୟା କାହାଙ୍କର ପ୍ରେମିକା ହେଉଛନ୍ତି, ତାହା ହେଉଛି ଫିଲ୍ମର ମୁଖ୍ୟ ପ୍ରସଙ୍ଗ। ‘ପ୍ରେମ ପାଇଁ ମହାଭାରତ’ ସିନେମାର ପ୍ରଯୋଜନା କରିଛନ୍ତି ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ। ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର, ନିରଞ୍ଜନ ବେହେରା ଏହି ସିନେମାର ନିର୍ଦ୍ଦେଶକ। ଏହିଭଳି ଘଟଣାକ୍ରମ ପୂର୍ବରୁ ଦେଖିବାକୁ ମିଳିଥିଲା ଅନ୍ୟ ଏକ ଓଡ଼ିଆ ସିନେମାରେ, ଯାହାର ଟାଇଟଲ୍‌ ଥିଲା ‘କଣ୍ଢେଇ’।

ଓଲିଉଡର ବରିଷ୍ଠ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କର ଏହି ସିନେମାର କାହାଣୀରେ ବି ନାୟିକା ଥିଲେ ଜଣେ, କିନ୍ତୁ ତିନିଜଣ ନାୟକଙ୍କ ସହ ତାଙ୍କର ପ୍ରେମସମ୍ପର୍କ ରହିଥିଲା।

‘କଣ୍ଢେଇ’ ସିନେମାରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ମହାଶ୍ୱେତା। ତାଙ୍କୁ ପ୍ରେମ କରୁଥିବା ତିନିଜଣ ନାୟକ ହେଲେ ପ୍ରଶାନ୍ତ ନନ୍ଦ, ଉତ୍ତମ ମହାନ୍ତି ଓ ଶ୍ରୀରାମ ପଣ୍ଡା। ଏହି ସିନେମାରେ ଥିଲା ତିନିଜଣ ନାୟକ ଓ ଜଣେ ନାୟିକାଙ୍କ ପ୍ରେମ କାହାଣୀ। ବିଭିନ୍ନ ପରିସ୍ଥିତିରେ ନାୟିକା (ମହାଶ୍ୱେତା)ଙ୍କୁ ଭଲ ପାଇଥିଲେ ତିନି ନାୟକ। ଏହା ଏକ ସମ୍ପୂର୍ଣ୍ଣ ନିଆରା ପ୍ରେମକାହାଣୀ ଥିଲା।

ଏହି ସିନେମାର ପ୍ରଯୋଜନା କରିଥିଲେ ହିନ୍ଦୁସ୍ତାନ ସିନେ ପ୍ରଡକ୍ସନ୍। ଏହାର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ସଙ୍ଗୀତ ଭଳି ଗୁରୁଦାୟିତ୍ୱ ବି ବହନ କରିଥିଲେ ନିଜେ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ।

 

Comment