ଓଡ଼ିଶାଲାଇଭ୍ ବ୍ୟୁରୋ

  • ସ୍ୱାସ୍ଥ୍ୟକେନ୍ଦ୍ରକୁ ଘେରିଲେ 
  • ଔଷଧ ଦୋକାନ ବନ୍ଦ କରିବାକୁ ଦାବି
  • ରୋଗୀଙ୍କୁ ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ଥାନାନ୍ତରିତ

ମାଲକାନଗିରି: ଜଣେ ରୋଗୀଙ୍କୁ ଏକ୍ସପାଏରୀ ଇଞ୍ଜେକସନ୍ ଦେବାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ରକୁ ଘେରାଉ କରିବା ସହ ବିକ୍ରି କରାଯାଇଥିବା ଦୋକାନ ବନ୍ଦ କରିବାକୁ ଦାବି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମ୍.ଭି.୧୯ ଗ୍ରାମରେ। ଉତ୍ୟକ୍ତ ପରିବାରବର୍ଗଙ୍କ ସହ ଗ୍ରାମବାସୀ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଘେରାଉ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ, ଗୋପାଳ ମଣ୍ଡଳ ନାମକ ଜଣେ ବ୍ୟକ୍ତି କିଛିଦିନ ହେବ ଦୁର୍ବଳ ଅନୁଭବ କରିଥିବାରୁ ତାଙ୍କୁ ଏମ.ଭି.୧୯ ଗ୍ରାମର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷା କରିବା ପରେ ବ୍ରେନ୍ ମ୍ୟାଲେରିଆ ହେଇଥିବା ଜଣାପଡିଥିଲା।

ଏଥିଲାଗି ଆବଶ୍ୟକ ଇଞ୍ଜେକସନ୍ ଆଣିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଫଳରେ ରୋଗୀଙ୍କ ସମ୍ପର୍କୀୟ ସାମ୍ନାରେ ଥିବା ସୁଧୀର ସରକାରଙ୍କ ମେଡିକାଲ ଷ୍ଟୋରରେ ଯାଇ ସମ୍ପୃକ୍ତ ଇଞ୍ଜେକସନ୍ ଆଣିଥିଲେ। ସେଇ ଇଞ୍ଜେକ୍ସନ ଗୋଟିଏ ଗତକାଲି ସକାଳ ୧୧ଟା ବେଳେ ଦିଆଯାଇଥିଲା ଏବଂ ଦ୍ୱିତୀୟ ଡୋସ୍ ସନ୍ଧ୍ୟା ବେଳେ ଦେବା ସମୟରେ ତାହା ଏକ୍ସପାଏରୀ ହୋଇଥିବା ଜଣାପଡିଥିଲା।

ଏନେଇ ପରିବାରବର୍ଗ ସହ ଗ୍ରାମବାସୀ ଉକ୍ତ ମେଡିକାଲ ଷ୍ଟୋର ଯାଇ ପଚାରିବାରୁ ମାଲିକ ନାନା ଭାଷାରେ ଗାଳିଗୁଲଜ କରିଥିଲା। ଏ ନେଇ ଗ୍ରାମବାସୀ ଅସନ୍ତୋଷ ହୋଇ ଦୋକାନ ବନ୍ଦ କରିବା ପାଇଁ ଦାବି କରିଛନ୍ତି।

ତେବେ ଇଞ୍ଜେକସନ ଦେବା ବେଳେ ସ୍ୱାସ୍ଥ୍ୟ କର୍ମଚାରୀ ଏକ୍ସପାଏରୀ ତାରିଖ ଦେଖିଲେ ନାହିଁ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ଏକ୍ସପାଏରୀ ତାରିଖ ଥିବା ସେ ବିକ୍ରି କରିନାହାନ୍ତି ବୋଲି ଔଷଧ ଦୋକାନୀ ସଫେଇ ଦେଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ରୋଗୀ ଗୋପାଳ ମଣ୍ଡଳଙ୍କୁ ଆଜି ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।

Comment