ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆଦିଲ୍ଲୀରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଓଡ଼ିଶା-ପଶ୍ଚିମବଙ୍ଗ-ତେଲେଙ୍ଗାନା ଉପରେ ଫୋକସ୍ ଦେଇଛନ୍ତି ଶାହ।

୨୦୧୯ରେ ବିଜେପିର ନିର୍ବାଚନ ଏଜେଣ୍ଡା କ’ଣ ରହିବ? କେଉଁ ପ୍ରସଙ୍ଗକୁ ନେଇ ବିଜେପି ଭୋଟରଙ୍କ  ପାଖକୁ ଯିବ?  କାହା ନେତୃତ୍ୱରେ ବିଜେପି ଲଢ଼ିବ ନିର୍ବାଚନ? ଏସବୁ ବିଷୟରେ ଆଲୋଚନା କରିବା ପାଇଁ ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇଦିନିଆ ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଏହି ବୈଠକରେ ବିଜେପିର ତୁଙ୍ଗ ନେତାମାନେ ଉପସ୍ଥିତ ରହି ୨୦୧୯ ପାଇଁ ମନ୍ଥନ ଚଳାଇଛନ୍ତି।

ତେବେ ଏହି କାର୍ଯ୍ୟକାରିଣୀ ଓଡ଼ିଶା-ପଶ୍ଚିମବଙ୍ଗ-ତେଲେଙ୍ଗନା ଉପରେ ଫୋକସ୍ ଦେଇଛନ୍ତି ବିଜେପି ନେତା। ଏହି ତିନି ରାଜ୍ୟରେ ବିଜେପି କିପରି କ୍ଷମତାକୁ ଆସିବ ସେନେଇ ହୋଇଥିଲା ଘମାଘୋଟ ଆଲୋଚନା।

“ବିଜେପି ଅଧିକାଂଶ ରାଜ୍ୟରେ କ୍ଷମତାରେ ରହିଛି। ଓଡ଼ିଶା-ପଶ୍ଚିମବଙ୍ଗ-ତେଲେଙ୍ଗନାରେ କ୍ଷମତାରେ ନାହିଁ। ଏହି ତିନି ରାଜ୍ୟରେ ବିଜେପି କିପରି କ୍ଷମତାକୁ ଆସିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଯୋଜନାକୁ ଆଧାର କରି ନିର୍ବାଚନ ଲଢ଼ାଯିବ। ଏହି ତିନି ରାଜ୍ୟରେ ବିଜେପି ଆଗାମୀ ଦିନରେ କ୍ଷମତାକୁ ଆସିବ”, କହିଛନ୍ତି ନିର୍ମଳା ସୀତାରମଣ।

ଏହାସହ ସେ କହିଛନ୍ତି ଯେ ୨୦୧୯ ନିର୍ବାଚନ ବିଜେପି ଅମିତ ଶାହଙ୍କ ନେତୃତ୍ୱରେ ହିଁ ଲଢ଼ିବ। ଆଗକୁ ସାଧରଣ ନିର୍ବାଚନ ଆସୁଥିବାରୁ ଚଳିତବର୍ଷ ବିଜେପିର ସାଙ୍ଗଠନିକ ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଶାହଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ସମସ୍ତେ ସମ୍ମତି ଜଣାଇଛନ୍ତି।

୨୦୧୯ ଜାନୁଆରୀରେ ଅମିତ ଶାହଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା। ତାଙ୍କ କାର୍ଯ୍ୟକାଳକୁ ଆହୁରି ବର୍ଷେ ବୃଦ୍ଧି କରାଯାଇଛି।

ଅମିତ ଶାହ ୨୦୧୪ ନିର୍ବାଚନ ପରେ ବିଜେପିର ସଭାପତି ହୋଇଥିଲେ। ତାଙ୍କ ନେତୃତ୍ୱରେ ଦଳ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ଉପ-ନିର୍ବାଚନ ଲଢ଼ିଛି। ଅଧିକାଂଶ ରାଜ୍ୟରେ ବିଜେପି ସଫଳତା ପାଇଛି। ଏଣୁ ଶାହଙ୍କ ନେତୃତ୍ୱରେ ବିଜେପି ୨୦୧୯ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହୋଇଛି।

Comment