ଓଡ଼ିଶାଲାଇଭ୍ ବ୍ୟୁରୋ

  • ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଗଲା ନୌକା
  • ଦୁର୍ଘଟଣାରେ ୪ ଜଣ ନିଖୋଜ
  • ଭାରସାମ୍ୟ ହରାଇ ବୁଡ଼ିଲା ନୌକା
  • ନୌକାରେ ଯାତ୍ରା କରୁଥିଲେ ୭ଜଣ ଯାତ୍ରୀ

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଘଟିଛି ଏକ ଅଭାବନୀୟ ଘଟଣା। ଗତକାଲି ଘଟିଛି ଏହି ମର୍ମନ୍ତୁଦ ନୌକା ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣ ନିଖୋଜ ଥିବାର ଜଣାପଡ଼ିଛି।

ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର କିଛି ମହିଳା ଓ ପୁରୁଷ ଗତକାଲି ଜଳଭଣ୍ଡାରକୁ ସଂଯୋଗ ଥିବା ଏକ ନାଳ ପାର ହୋଇ ଚାଷ କାମ କରିବାକୁ ଯାଇଥିଲେ। ସନ୍ଧ୍ୟା ସମୟରେ ଏକ ଦେଶୀ ନୌକାରେ ନିଜ ଗ୍ରାମ ଅଭିମୁଖେ ଫେରୁଥିଲେ। ଏଥିରେ ମୋଟ୍ ୭ଜଣ ଯାତ୍ରୀ ଯାତ୍ରା କରୁଥିଲେ।

ହେଲେ ବାଟରେ ନୌକାଟି ତା’ର ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ଫଳରେ ସେଥିରେ ଥିବା ସମସ୍ତ ଯାତ୍ରୀ ବୁଡ଼ି ଯାଇଥିଲେ। ମାତ୍ର ୩ଜଣକୁ ପହଁରା ଆସୁଥିବାରୁ ସେମାନେ ପହଁରି କୂଳକୁ ଆସିବାକୁ ସକ୍ଷମ ହୋଇଥିଲେ। ସେମାନେ ହେଉଛନ୍ତି ସନ୍ୟାସୀ ସୀସା, ଲଛମା ସୀସା ଓ ଚମ୍ପା ସୀସା।

କିନ୍ତୁ ଏପର୍ଯ୍ୟନ୍ତ ୪ ଜଣ ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ୩ ଜଣ ମହିଳା ଏବଂ ଜଣେ ଶିଶୁ ଥିବାର ଜଣାପଡ଼ିଛି। ନିଖୋଜ ରହିଥିବା ଏମାନେ ହେଲେ ମୁଲିଆ ସୀସା, ରାଧିକା ସୀସା, ଦଉନା ସୀସା ଏବଂ ୩ବର୍ଷର ଛୁଆ ମଣିମା ସୀସା।

ଡଙ୍ଗାରେ ଫେରୁଥିବା ବାକି ୪ଜଣ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି। ସୂଚନା ପାଇବା ପରେ ଆଖପାଖର ୪/୫ଟି ଗାଁର ଲୋକେ ଖୋଜାଖୋଜି କରିଥିଲେ। ବର୍ତ୍ତମାନ ସୁଦ୍ଧା ଡଙ୍ଗାରେ ଖୋଜାଖୋଜି ଜାରି ରହିଛି। ମାଲକାନଗିରି ଓ ମାଥିଲି ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳ ଅଭିମୁଖେ ଗସ୍ତ କରିଥିବା ଅଗ୍ନିଶମ ବିଭାଗ ଡିଏସପି ରଙ୍ଗାଧାର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ତେବେ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ସ୍ଥାନୀୟ ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ ବର୍ଲାବନ୍ଧ ଗ୍ରାମର ବୋଲି ଜଣାପଡ଼ିଛି।

Comment