ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

କୁନିକୁନି ଛାତ୍ରଛାତ୍ରୀଙ୍କ ପାଇଁ ମାଲକାନଗିରିସ୍ଥିତ ଏକ ବିଦ୍ୟାଳୟର କ୍ଲାସ୍‌ ରୁମ୍‌ଗୁଡ଼ିକୁ କରାଯାଇଛି ରେଳ ବଗି ସଦୃଶ୍ୟ।

ରେଳ ଚାଲେ ଛୁକ୍ ଛୁକ୍…….. ରହ ରହରେ ବାଷ୍ପୀୟ ସକଟ…. ଏଭଳି ଅନେକ କଥା ରେଳକୁ ନେଇ କେବଳ ଚଳଚ୍ଚିତ୍ର କିମ୍ବା କବିର କବିତାରେ ଉଲ୍ଲେଖ ରହିଥାଏ। ହେଲେ ରେଳ ଡବାରେ କୁନିକୁନି ଛାତ୍ରଛାତ୍ରୀମାନେ ପାଠ ପଢୁଛନ୍ତି ବୋଲି ଆପଣ କେବେ ଦେଖି ନଥିବେ କି ଶୁଣି ନଥିବେ।

ଏହା କୌଣସି ମନଗଢା କାହାଣୀ ନୁହେଁ, ଏହାର ବାସ୍ତବତା ଦେଖିବାକୁ ମିଳିଛି ମାଲକାନଗିରିରେ। ଏହି ଏକ୍ସପ୍ରେସର ନାମ ହେଉଛି ‘ମାଲ୍ୟବନ୍ତ ଏକ୍ସପ୍ରେସ’। ଯାହାକି ରାଜ୍ୟ ରାଜଧାନୀ ଭୁବନେଶ୍ୱର ଠାରୁ ମାଲକାନଗରିକୁ ଯାତାୟତ କରେ। ସପ୍ତାହରେ ୬ଦିନ ଚାଲୁଥିବା ବେଳେ ରବିବାର ଏବଂ ସରକାରୀ ଛୁଟି ଦିନମାନଙ୍କରେ ଏହା ଯାତାୟତ କରେ ନାହିଁ। ଏହି ରେଳଟି ଭାରତୀୟ ରେଳ ବିଭାଗର କୌଣସି ରେଳ ପଟ୍ରିରେ ଚାଲେ ନାହିଁ।

ମାଲକାନଗିରି ସଦର ମହକୁମାର ବୁଟିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ବିଦ୍ୟାଳୟର କ୍ଲାସ ରୁମଗୁଡିକୁ ରେଳ ଡବା ଭଳି ଚିତ୍ରଣ କରାଯାଇଛି। କୁନିକୁନି ଛାତ୍ରଛାତ୍ରୀମାନେ ଏହି ରେଳ ଡବା ଭଳି ଚିତ୍ରିତ କ୍ଲାସ୍ ରୁମରେ ବସି ପାଠ ପଢିଥାନ୍ତି। ଶିକ୍ଷକ ଶିକ୍ଷୟତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରନ୍ତି ଏହି ରେଳ ବଗିରେ।

ଶବ୍ଦହୀନ, ଗତିହୀନ ଏହି ମାଲ୍ୟବନ୍ତ ଏକ୍ସପ୍ରେସ। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ରେଳ ଯାତାୟତ କରେ ନାହିଁ। ଏଠାକାର ଅଧିକାଂଶ ଅଧିବାସୀ କେବେ ରେଳ ଦେଖିନାହାନ୍ତି। ଆଉ ଛାତ୍ରଛାତ୍ରୀଙ୍କର କଥା ତ ନକହିଲେ ଭଲ। ଛାତ୍ରଛାତ୍ରୀମାନେ କେବଳ ବହିପତ୍ର ଏବଂ ଦୂରଦର୍ଶନରେ ରେଳ ଦେଖିଥାନ୍ତି।

ରେଳ ବିଭାଗ ଏବଂ ଭାରତ ସରକାର ଜିଲ୍ଲା ପ୍ରତି ଦୃଷ୍ଟି ଦେଇ ରେଳ ସୁବିଧା ଜିଲ୍ଲାବାସୀଙ୍କୁ ଯୋଗାଇ ଦେବେ ବୋଲି ଛାତ୍ରଛାତ୍ରୀମାନେ ଆଶା କରିଛନ୍ତି। ବୋଧହୁଏ, ରାଜ୍ୟରେ ଏକମାତ୍ର ଉପାନ୍ତ ଜିଲ୍ଲା ମାଲକାନଗିରି ଯେଉଁଠି ରେଳ ଚଳାଚଳ କରି ନଥାଏ।

ଛାତ୍ରଛାତ୍ରୀଙ୍କୁ ରେଳ ବାବଦରେ ସଚେତନତା କରିବା ପାଇଁ ଶ୍ରେଣୀଗୃହଗୁଡିକୁ ରେଳ ଚିତ୍ରଣ କରାଯାଇଛି। ରାଜ୍ୟ ସରକାରଙ୍କର ସର୍ବଶିକ୍ଷା ଅଭିଯାନର ବାଲ୍ ଏକଟିଭିଟି ଯୋଜନା ମାଧ୍ୟମରେ ଏହା ପ୍ରସ୍ତୁତ ହୋଇଛି। ଏହି ଟ୍ରେନ ଛବି ଦେଖି ଛାତ୍ରଛାତ୍ରୀମାନେ ସାମ୍ୟକ ଧାରଣା ପାଇ ପାରିବେ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ କହିଛନ୍ତି।

ବଜେଟ ଉପସ୍ଥାପନା ବେଳେ କେନ୍ଦ୍ର ସରକାର ମାଲକାନଗିରି ଜିଲ୍ଲାରେ ରେଳ ଗଡାଇବାକୁ ଆଶା ଦେଖାଇଛନ୍ତି। ପ୍ରକୃତରେ ଏହା କେତେଦୂର ସମ୍ଭବ ହେଉଛି ତାହା ଆଗାମୀ ଦିନରେ ହିଁ ଜଣାପଡିବ।

Comment