ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଭାରତ ବନ୍ଦ ଡାକରା ପ୍ରଭାବ କେବଳ ଜନତାଙ୍କ ଉପରେ ପଡ଼ିନି, ନେତାଙ୍କ ଉପରେ ପଡ଼ିଛି। କଂଗ୍ରେସର ବନ୍ଦ ଯୋଗୁଁ ଆଜି କିଏ ବାଇକ୍‌ରେ ତ ପୁଣି କିଏ ଚାଲି ଚାଲି ବିଧାନସଭା ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରୁଟ୍ ବି ବଦଳିଯାଇଥିଲା।

ମୁଖ୍ୟମନ୍ତ୍ରୀ ସବୁବେଳେ ଏଜିଛକ ଦେ ଇ ବିଧାନସଭା ଆସିଥାନ୍ତି। କିନ୍ତୁ ଏଜି ଛକରେ କଂଗ୍ରେସର ବରିଷ୍ଠ ନେତାମାନେ ବସି ତେଲ ଦର ବୃଦ୍ଧିର ପ୍ରତିବାଦ କରୁଥିଲେ। ସାଧାରଣ ଲୋକଙ୍କୁ ରାସ୍ତାରେ ଯିବା ଆସିବା କରିବା ପାଇଁ ଛାଡ଼ୁ ନଥିଲେ। କଂଗ୍ରେସ କର୍ମୀଙ୍କ ଜୋରଦାର ପ୍ରତିବାଦକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ଆସିବା ରୁଟ୍ ବଦଳିଥିଲା। ମୁଖ୍ୟମନ୍ତ୍ରୀ ମେନ୍ ଗେଟ ଯିବା ବଦଳରେ ୫ ନମ୍ବର ଗେଟ୍ ଦେଇ ବିଧାନସଭାରେ ପ୍ରବେଶ କରିଥିଲେ।

ସେହିପରି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ କିଛି ବରିଷ୍ଠ ମନ୍ତ୍ରୀ ବାଇକରେ ଆସିଥିଲେ। ପ୍ରତାପ ଜେନା ବାଇକରେ ଆସୁଥିବା ବେଳେ କଂଗ୍ରେସ କର୍ମୀମାନେ ତାଙ୍କୁ ଘେରି ଯାଇଥିଲେ। ଗୋଲାପ ଫୁଲ ଦେଇ ସଚେତନ କରିଥିଲେ କଂଗ୍ରେସ କର୍ମୀ। ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ମଧ୍ୟ ବାଇକରେ ଆସିଥିଲେ।

ବିଜେଡି ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ବିଧାନସଭା ଚାଲି ଚାଲି ଆସିଥିବା ଦେଖିବାକୁ ମିଳିଥିଲା।

କଂଗ୍ରେସ କର୍ମୀମାନେ ମାଷ୍ଟରକ୍ୟାଣ୍ଟିନ, ଏଜି ଛକ, ବାଣୀବିହାର, ଷ୍ଟେସନ, ବସ୍‌ଷ୍ଟାଣ୍ଡ ଏବଂ ବିଧାନସଭା ସମ୍ମୁଖରେ ପିକେଟିଂ କରୁଥିଲେ।

Comment