ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାସହ ଅଧାରୁ ପାଠପଢ଼ା ଛାଡୁଥିବା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବନାଯାଇଛି ଏହି ପ୍ଲାଟ୍‌ଫର୍ମ ଭଳି କ୍ଲାସ୍‌ରୁମ୍‌।

ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହ ପ୍ରତି ଆକର୍ଷିତ କରିବା ପାଇଁ ବ୍ରହ୍ମପୁର ଶିଳ୍ପ ତାଲିମ୍ ଅନୁଷ୍ଠାନରେ ଏକ ଭିନ୍ନ ପ୍ରୟାସ ଦେଖିବାକୁ ମିଳିଛି। ଏହାର ପ୍ରଶାସନିକ କୋଠା ଉପର ମହଲାର ଦୁଇ ପାର୍ଶ୍ୱରେ ଥିବା ଶ୍ରେଣୀଗୃହକୁ ପେଣ୍ଟର ଟ୍ରେଡ୍‌ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏଭଳି ରଙ୍ଗେଇ ଦିଆଯାଇଛି, ଯାହାକି ଏକ ରେଳ ପ୍ଲାଟ୍‌ଫର୍ମ ଭଳି ଦୃଶ୍ୟମାନ ହେଉଛି।

ଏହା ଦୁଇ ପାର୍ଶ୍ୱରେ ଦୁଇଟି ଟ୍ରେନ୍ ଥିବାର ଭ୍ରମ ସୃଷ୍ଟି କରିଛି। ପେଣ୍ଟର ଟ୍ରେଡ୍‌ର ପ୍ରାୟ ୪୦ଜଣ ଛାତ୍ରଛାତ୍ରୀଙ୍କର ମିଳିତ ପ୍ରୟାସରେ ଏହା ପ୍ରସ୍ତୁତ ହୋଇଛି। ଆଇଟିଆଇରେ ପ୍ରତିବର୍ଷ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ନାମ ଲେଖାଉଥିଲେ ମଧ୍ୟ ଅଧାରୁ ପାଠପଢ଼ା ଛାଡୁଥିବା ପିଲାଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ତେଣୁ ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଶିକ୍ଷାନୁଷ୍ଠାନର ପରିସରକୁ କିଭଳି ଅଧିକ ଆକର୍ଷଣୀୟ କରି ହେବ ସେ ନେଇ ପଦକ୍ଷେପ ନିଆଯାଉଛି।

ପ୍ଲାଟ୍‌ଫର୍ମରେ କ୍ଲାସ୍ କରିବା ସେଥିମଧ୍ୟରୁ ଅନ୍ୟତମ ବୋଲି ଅଧକ୍ଷ ଡ.ରଜତ କୁମାର ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ପେଣ୍ଟର ଟ୍ରେଡ୍‌ର ଶିକ୍ଷକ ସଚ୍ଚିଦାନନ୍ଦ ଆଚାରୀଙ୍କ ସହ ଆଲୋଚନା ପରେ ଉକ୍ତ ବିଭାଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏହାକୁ ବାସ୍ତବ ରୂପ ଦିଆଯାଇଛି।

ଉପର ମହଲାର ପାର୍ଶ୍ୱରେ ଧାଡିକି ଧାଡି ହୋଇଥିବା ୧୦ଟି ଶ୍ରେଣୀଗୃହର କାନ୍ଥ, କବାଟ ଏବଂ ଝରକାକୁ ଏଭଳି ଚିତ୍ରିତ କରାଯାଇଛି, ଯାହାକି ଟ୍ରେନ୍ ଭଳି ଦୃଶ୍ୟମାନ ହେଉଛି। ଶ୍ରେଣୀଗୃହର ରାସ୍ତା ଦେଇ ଗଲାବେଳେ ପ୍ଲାଟ୍‌ଫର୍ମର ଭ୍ରମ ସଷ୍ଟି ହେଉଛି।

ସାମାନ୍ୟ ବିଳମ୍ବ ହେଲେ ଯେଭଳି ଟ୍ରେନ୍ ଛାଡିଯିବାର ସମ୍ଭାବନା ଥାଏ, ସେଭଳି ନିର୍ଦ୍ଧାରିତ ସମୟରେ ଶ୍ରେଣୀଗୃହରେ ପହଁଞ୍ଚିବାକୁ ଅର୍ଥାତ୍‌ ସମୟାନୁବର୍ତ୍ତୀ ହେବାକୁ ଏହା ପ୍ରେରଣା ଦେଉଛି ବୋଲି କିଛି ଛାତ୍ରଛାତ୍ରୀ ମତବ୍ୟକ୍ତ କରିଛନ୍ତି।

Comment