ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଆସିଥିବା ଦଳ ବିରୋଧୀ ଅଭିଯୋଗର ବିଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଗୋଟିଏ ପଟେ ତାଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବା ହେଉଥିବା ବେଳେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ନବୀନଙ୍କ ମନ୍ତବ୍ୟ ଆସିବା ପରେ ଦାମଙ୍କ ପାଇଁ ଗଣିତ ଜଟିଳ ହୋଇପାରେ ବୋଲି କୁହାଯାଉଛି।

ନବୀନ ପଟ୍ଟନାୟକ କହିଛନ୍ତି, “ଦାମ ବାବୁଙ୍କ ବିରୋଧରେ ଜଗତ୍‌ସିଂହପୁର ଜିଲ୍ଲାର ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି। ମୁଁ ସେ ଅଭିଯୋଗକୁ ଗ୍ରହଣ କରିଛି। ଏ ସମ୍ପର୍କରେ ମୁଁ ବିଚାର କରିବି।”

ଦାମଙ୍କ କ୍ଷେତ୍ରରେ ନବୀନ କ’ଣ ବିଚାର କରିବେ ତାକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ବଢ଼ିଛି।

ଗତ ଦୁଇଦିନ ହେଲା ଦାମଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ। ଜଟିଳ ହେଉଛି ଗଣିତ। ଜଗତ୍‌ସିଂହପୁର ଜିଲ୍ଲାରୁ ବିଜେଡି କର୍ମୀ ଓ ନେତାମାନେ ନବୀନ ନିବାସ ଆସି ଦାମଙ୍କ ବିରୋଧରେ ଫେରାଦ ହେଉଛନ୍ତି।

ଜଗତ୍‌ସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ଏରସମା-ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଗତ ସୋମବାର ଦିନ ନବୀନ ନିବାସ ଆସିଥିଲେ। ନବୀନଙ୍କୁ ଭେଟି ଦାମଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ। ଦାମ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହୁଥିବା ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ନବୀନ ଏହି ଲିଖିତ ଅଭିଯୋଗକୁ ଗ୍ରହଣ କରିଥିଲେ।

ମଙ୍ଗଳବାର ଦିନ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା। ଏରସମାରୁ ଶତାଧିକ କର୍ମୀ ନୀବନ ନିବାସ ଆସି ଦାମଙ୍କ ବିରୋଧରେ ଫେରାଦ ହୋଇଥିଲେ।

ଦାମଙ୍କ ବିରୋଧରେ ଦଳୀୟ କର୍ମୀ ବିଜେଡି ସୁପ୍ରିମୋଙ୍କ ନିକଟରେ ଅଭିଯୋଗ କରୁଥିବା ବେଳେ ଏରସମା ଏବଂ କୁଜଙ୍ଗରେ ଜଳିଥିଲା ନିଆଁ। ଦାମ ସମର୍ଥକ ରାଜରାସ୍ତାକୁ ଓହ୍ଲାଇ ବିଷ୍ଣୁ ଦାସ ଏବଂ ପ୍ରଶାନ୍ତ ମୁଦୁଲିଙ୍କୁ ବିରୋଧ କରିଥିଲେ। କୁଜଙ୍ଗରେ ଦାମ ସମର୍ଥକ ବିଷ୍ଣୁ ଦାସ ପୋଷ୍ଟ ପୋଡ଼ିଥିବା ବେଳେ ଏରସମାରେ ପ୍ରଶାନ୍ତ ମୁଦୁଲିଙ୍କ କୁଶପୁତ୍ତଳିକା ଦାହ କରିଥିଲେ।

ଦାମ ବି ମୁହଁତୋଡ ଜବାବ ଦେଇଛନ୍ତି। ବିଧାନସଭା ପରିସରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଦାମ ବିଜେଡିକୁ ଆକ୍ଷେପ କରିଥିଲେ। ନବୀନ ଦେଇଥିବା ମନ୍ତବ୍ୟର ମଧ୍ୟ ଜବାବ ଦେଇଥିଲେ।

ଦାମ କହିଥିଲେ, “ମୋ ଅଜାଣତରେ ମତେ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଗଲା। ଦଳର ଉପ-ସଭାପତି ଏବଂ ପର୍ଯ୍ୟବେକ୍ଷକରୁ ହଟାଇ ଦିଆଗଲା। ଆଉ କ’ଣ ଅଛି ଯେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ? ସଭାପତି ସବୁ ଜାଣିଛନ୍ତି। ସେ କ’ଣ ନିଷ୍ପତ୍ତି ନେବେ ତାହା ମୁଁ ଜାଣିନି।”

“ଯେ ପର୍ଯ୍ୟନ୍ତ ମୁଁ ବିଧାୟକ ଅଛି ସେ ପର୍ଯ୍ୟନ୍ତ ମୁଁ ବିଜେଡିରେ ଅଛି। ଯେଉଁଦିନ ବିଜୁ ଶବ୍ଦ କଟିଯିବ ସେଦିନ ମୁଁ ଆଉ ଦଳରେ ନଥିବି”, କହିଛନ୍ତି ଦାମ।

ସବୁଠୁ ବଡ଼ କଥା ହେଉଛି ଦାମ ଆଜି ଆଇଏଏସ୍‌ ଅଫିସରଙ୍କ କଥା ଉଠାଇଛନ୍ତି। ଜଣେ ଅଫିସର ଏବଂ ତିନି ଜଣ ବିଧାୟକ ବିଜେଡିକୁ ପରିଚାଳିତ କରୁଥିବା ଦାମ କହିଛନ୍ତି। ଏହି ମନ୍ତବ୍ୟ ଦାମଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି।

ବିଜେଡିରେ ଅଫିସରଙ୍କୁ ଟାର୍ଗେଟ କରି ବୈଜୟନ୍ତ ପଣ୍ଡା ଦଳରୁ ନିଲମ୍ବିତ ହୋଇଥିଲା। ପରିସ୍ଥିତି ଏମିତି ହେଲା ଯେ ଦଳରୁ ଇସ୍ତଫା ଦେବାକୁ ବୈଜୟନ୍ତ ବାଧ୍ୟ ହେଲେ। ଏବେ ବୈଜୟନ୍ତଙ୍କ ରାସ୍ତାରେ ଦାମ ପାଦ ଦେଇଥିବା ଚର୍ଚ୍ଚା ହେଉଛି। ଏପଟେ ଦାମଙ୍କ ଅଭିଯୋଗକୁ ବୈଜୟନ୍ତ ସମର୍ଥନ କରିଥିବାରୁ ରାଜ୍ୟ ରାଜନୀତି ସରଗରମ୍ ହୋଇଯାଇଛି।

Comment