ସୋନପୁରରୁ ସଞ୍ଜୟ କୁମାର ସାହୁ

କାହିଁ କେତେ ଦିନରୁ ମଣିଷ ପୂଜା କରି ଆସୁଛି ପ୍ରକୃତି ଓ ପିତୃପୁରୁଷଙ୍କୁ ନୂଆଁଖାଇରେ। ହେଲେ ମହିମାଧର୍ମାବଲମ୍ବୀମାନେ ନୂଆଁଖାଇ ପାଳନ କରିଥାନ୍ତି ଏକ ଭିନ୍ନ ଢଙ୍ଗରେ। ବର୍ଷର ପହିଲି ଅନ୍ନକୁ ସମର୍ପଣ କରିଥାନ୍ତି ଶୂନ୍ୟବ୍ରହ୍ମଙ୍କ ପାଖରେ।

ପ୍ରଥମେ ଶୂନ୍ୟବ୍ରହ୍ମଙ୍କୁ ଅନ୍ନବ୍ରହ୍ମ ଟେକିଦେବା ପରେ ସେମାନେ ନବାନ୍ନ ଗ୍ରହଣ କରିଥାନ୍ତି। ବିଶ୍ୱର ସମସ୍ତ ଜୀବ ଜଗତକୁ ବର୍ଷସାରା ଅନ୍ନପ୍ରାପ୍ତି ପାଇଁ ପ୍ରାର୍ଥନା କରିଥାନ୍ତି ବିଶ୍ୱନିୟନ୍ତା ଶୂନ୍ୟବ୍ରହ୍ମଙ୍କ ପାଖରେ।

ସମଗ୍ର ପଶ୍ଚିମ ଓଡିଶାରେ ଆନନ୍ଦ ଉଲ୍ଲାସର ସହିତ ନୂଆଁଖାଇ ପାଳନ କରାଯାଉଥିବା ବେଳେ ସୋନପୁର ଜିଲ୍ଲା ଖଲିଆପାଲିର ସନ୍ଥକବି ଭୀମଭୋଇଙ୍କ ସମାଧୀ ପୀଠ ଏଥିରୁ ବାଦ ପଡ଼ିନାହିଁ। ପୀଠରେ ରହୁଥିବା ସାଧୁ ସନ୍ୟାସୀମାନେ ଏକତ୍ରୀତ ପାଳନ କରିଥାନ୍ତି ଏହି ନୂଆଁଖାଇ ପର୍ବକୁ।

ସନ୍ଥପୀଠର ନିର୍ଦ୍ଧାରିତ ଲଗ୍ନରେ ସମାଧୀ ପୀଠର ରୀତିନୀତି  ମୁତାବକ, ନବାନ୍ନ ପ୍ରସ୍ତୁତ କରି ଅର୍ପଣ କରିଥାନ୍ତି ଶୂନ୍ୟବ୍ରହ୍ମଙ୍କ ପାଖରେ। ବର୍ଷର ପହିଲା ଧାନକୁ ପଞ୍ଚାମୃତରେ ମିଶାଇ ନୂଆଁ ହାଣ୍ଡିରେ ରଖି ଭଜନ କୀର୍ତ୍ତନ ସହିତ ଅଣାଯାଇଥାଏ ସମାଧି ମନ୍ଦିରକୁ।

ଅଲେଖ ମହିମା ଶୂନ୍ୟବ୍ରହ୍ମଙ୍କୁ ସ୍ମରଣ କରି ଅନ୍ନବ୍ରହ୍ମ ଟେକି ଅର୍ପଣ କରାଯାଏ ବିଶ୍ୱନିୟନ୍ତାଙ୍କ ପାଖରେ। ଏକତ୍ରୀତ ସନ୍ୟାସୀ ସନ୍ୟାସିନୀମାନେ ସନ୍ଥଙ୍କ ପାଦୁଦ ଦର୍ଶନ ଓ ଶୂନ୍ୟମନ୍ଦିର ଦର୍ଶନ ପରେ ସାମୁହିକ ନବାନ୍ନ ଗ୍ରହଣ କରିଥାନ୍ତି।

ପ୍ରତିବର୍ଷ ଏଇ ମହିମା ପୀଠରେ ବଡ଼ ଧୂମଧାମରେ ନୂଆଁଖାଇ ପର୍ବ ପାଳନ କରାଯାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ମହିମାଧର୍ମୀ ସାଧୁ ସନ୍ୟାସୀ ଯୋଗ ଦେଇଥାନ୍ତି ସମାଧୀ ପୀଠରେ। ସାମୁହିକ ନବାନ୍ନ ଗ୍ରହଣ କରି ପଂକ୍ତି ଭୋଜନ କରନ୍ତି। ସମାଧୀ ପୀଠ ଭଜନ ମଣ୍ଡପରେ ଏକତ୍ରୀତ ହୋଇ ମହିମା ଗୋସାଇଁଙ୍କ ଭଜନ କିର୍ତ୍ତନ୍ୟ କରିଥାନ୍ତି।

ନୂଆଁଖାଇରେ ସଭିଏଁ ବର୍ଷର ପହିଲି ଶସ୍ୟକୁ ଅର୍ପଣ କରିଥାନ୍ତି ନିଜ ଇଷ୍ଟଦେବ ଦେବୀଙ୍କ ପାଖରେ। ହେଲେ ମହିମାଧର୍ମୀମାନେ ଶୂନ୍ୟବ୍ରହ୍ମଙ୍କୁ ପଞ୍ଚାମୃତ ଅର୍ପଣ କରି ସାରା ବିଶ୍ୱର ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି।

ବିଶ୍ୱର ସମସ୍ତ ଜୀବଜଗତକୁ ବର୍ଷ ସାରା ଅନ୍ନପ୍ରାପ୍ତି ପାଇଁ ଗୁହାରୀ କରନ୍ତି। ମହିମାଧର୍ମୀଙ୍କ ନୂଆଁଖାଇରେ ଭୀମଭୋଇଙ୍କ ରଚିତ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ …ପଂକ୍ତିଟି ଏଠାରେ ନିଶ୍ଚୟ ପ୍ରତିଫଳିତ ହେଉଛି।

Comment