ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧୁମ୍‌ଧାମ୍‌ରେ ପାଳନ ହୋଇଛି ଗଣପର୍ବ ନୂଆଁଖାଇ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଥିଲା ପଶ୍ଚିମ ଓଡ଼ିଶା। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନୂଆଁ ଖାଇଥିଲେ।

ଶୁକ୍ରବାର ଭୋର ସାଢ଼େ ୪ଟାରୁ ଖୋଲିଥିଲା ମା’ ସମଲେଶ୍ୱରୀଙ୍କ ପହଡ଼। ମା’ଙ୍କୁ ନୂଆ ବସ୍ତ୍ର ପରିଧାନ କରିବା ପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଧାର୍ଯ୍ୟ ଲଗ୍ନ ଅନୁଯାୟୀ ମା’ଙ୍କ ପାଖରେ ନବାନ୍ନ ଲାଗି କରାଯାଇଥିଲା।

ନୂଆ ଲୁଗା, ଏବଂ ନୂଆ ଶସ୍ୟ ହାତରେ ଧରି ଲୋକେ ସମ୍ବଲପୁରର ସମଲେଶ୍ୱରୀ ଏବଂ ବଲାଙ୍ଗିରର ପାଟଣେଶ୍ୱରୀଙ୍କ ମନ୍ଦିରରେ ପୂଜା ଚର୍ଚ୍ଚନା କରିଥିଲେ।

ନୂଆଁଖାଇ ପାଇଁ ଉପଲକ୍ଷେ ସମସ୍ତଙ୍କ ଘରେ ତିଆରି ହୋଇଛି ଭଳିକି ଭଳି ପିଠା। ପିଠାର ମହକରେ ପଶ୍ଚିମ ଓଡ଼ିଶା ମହକୁଛି। ନୂଆ ଲୁଗା ପରିଧାନ କରି ସାନମାନେ ଗୁରୁଜନଙ୍କଠାରୁ ଆଶୀର୍ବାଦ ନେବା ପରେ ଏକାଠି ବସି ନୂଆଁ ଖାଇଥିଲେ। ନୂଆଁଖାଇ ପାଇ ଆଜି ପରିବାରର ସବୁ ସଦସ୍ୟ ଏକାଠି ହୋଇଥିଲେ।

ପରମ୍ପରା ରହିଛି ଯେ ଘରର ମୁଖ୍ୟ ପ୍ରଥମେ ଠାକୁରଙ୍କ ପାଖରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି କରିବେ। ଏହି ପ୍ରସାଦକୁ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ବଣ୍ଟନ କରାଯିବ।

ଗଣପର୍ବ ନୂଆଁଖାଇ ପାଇଁ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

“ପବିତ୍ର ନୂଆଁଖାଇ ଅବସରରେ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା। ଏହି ଉତ୍ସବ ସମାଜରେ ଆନନ୍ଦ ଓ ପ୍ରଗତି ଆଣିଦେଉ”, ଟୁଇଟ କରି ଅଭିନନ୍ଦନ ଜଣାଇଛନ୍ତି ନରେନ୍ଦ୍ର ମୋଦି।

“ଆମ ଦୈନନ୍ଦିନ ଜୀବନରେ କୃଷିର ମହତ୍ତ୍ୱ ରହିଛି ବୋଲି ନୂଆଁଖାଇ ପର୍ବ ସୂଚାଇ ଦେଇଥାଏ। ଆଜିର ଏହି ପବିତ୍ର ଦିବସରେ ଦେଶର କୃଷକମାନଙ୍କୁ ସାଲ୍ୟୁଟ୍”, କହିଛନ୍ତି ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମ୍ବଲପୁରୀ ଭାଷାରେ ଟୁଇଟ୍ କରି ସମସ୍ତଙ୍କୁ ନୂଆଁଖାଇ ଜୁହାର ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ନୂଆଁଖାଇର ଜୁହାର ଜଣାଇଛନ୍ତି।

Comment