ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋନପୁର: ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ। ଖାଲି ପୂଜା ଆରାଧନା କି ଖାଇବା ପିଇବାର ପର୍ବ ନୁହେଁ, ଜୁହାର ଭେଟ ଓ ନାଚ ଗୀତ ପାଇଁ ନୂଆଁଖାଇର ମଜା ନିଆରା।

ଗାଁରୁ ସହର ସବୁଠି ପାଳିତ ହେଉଛି ନୂଆଁଖାଇ ଭେଟ୍‌ଘାଟ୍‌। ଦିନେ କି ଦୁଇ ଦିନ ନୁହେଁ , ମାସ ମାସ ଧରି ଚାଲିବ ଏହି ଭେଟଘାଟ କାର୍ଯ୍ୟକ୍ରମ। ସୋନପୁରରେ ବି ଖାସ ନୂଆଁଖାଇ ସଂଧ୍ୟାରେ ହିଁ ପାଳିତ ହୋଇଛି ଏହି ନୂଆଁଖାଇ ଭେଟ୍‌ଘାଟ୍‌।

ସୋନପୁର ସହରର ଭୀମଭୋଇ କଳା ମଣ୍ଡପ ଦୁଲକି ଉଠିଥିଲା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ। ଜିଲ୍ଲାପାଳ ମଧୂସୂଦନ ମିଶ୍ର ନୂଆଁଖାଇ ଅଭିନନ୍ଦନ ଜଣାଇଥିଲେ। ବିଶିଷ୍ଟ କଳାକାର ହରପ୍ରସାଦ ରଥ, ଜଗନ୍ନାଥ ପାତ୍ରଙ୍କୁ ସମ୍ମାନିତ କରିବା ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ପାରମ୍ପରିକ ଲୋକନୃତ୍ୟ, ଗୀତ ପରିବେଷଣ କରିଥିଲେ ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ କଳାକାର। ଭୁବନେଶ୍ୱରରୁ ଆସିଥିବା କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଓଡ଼ିଶୀ ନୃତ୍ୟରେ ଦୌପଦୀ ବସ୍ତ୍ର ହରଣ ପରିବେଷଣ କରାଯାଇଥିଲା।

ଓଡ଼ିଶୀ କଳାକାର ଆରତୀ କର କହନ୍ତି, “ସୋନପୁରରେ ନୂଆଁଖାଇ ଭେଟ୍‌ଘାଟ୍ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ମୁଁ ଉତ୍ସାହିତ। ଗଣପର୍ବ ନୂଆଁଖାଇକୁ  ବିଶ୍ୱର ବିଭିନ୍ନ ସ୍ଥାନରେ ପଶ୍ଚିମ ଓଡ଼ିଶାବାସୀ ପାଳନ କରୁଥିବାରୁ ମୁଁ ଆନନ୍ଦିତ।”

ସମ୍ବଲପୁରୀ ଲୋକ ନୃତ୍ୟ ଏବଂ ଗୀତରେ ଝୁମି ଉଠିଥିଲେ ଦର୍ଶକ। ରସରକେଲୀ, ଡାଲଖାଇ, ମାଏଲାଜଡ, ଚୁଟକୁଚୁଟା ସହିତ ପାରମ୍ପରିକ ବଜାଶାଲ ନୃତ୍ୟରେ ଦୁଲକି ଉଠିଥିଲା ଭୀମଭୋଇ କଳାମଣ୍ଡପ। କଳାକାରମାନେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସାମିଲ ହୋଇ ଯେତିକି ଉତ୍ସାହିତ ଥିଲେ ସେତିକି ମନୋରଂଜନ ନେଇଥିଲେ ଦେଖଣାହାରୀ।

Comment