ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓକିଲଙ୍କୁ ପୋଲିସର ମାଡ଼ ପ୍ରତିବାଦ
  • ୨୮ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ
  • କଟକର ସରକାରୀ ଅଫିସ ଆଗରେ ପିକେଟିଂ କଲେ ଆଇନଜୀବୀ
  • ସବୁ ଅଫିସରେ କାମ ଠପ୍
  • ଗୁରୁବାର ନବୀନ ନିବାସ ଘେରିବେ ଓକିଲ

କଟକରେ ପୋଲିସ-ଓକିଲ ଗଣ୍ଡଗୋଳ ଭିନ୍ନ ମୋଡ଼ ନେଇଛି। ଓକିଲଙ୍କୁ ମାଡ଼ ମାରିଥିବା ପୋଲିସକୁ ପ୍ରଶାସନ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗରେ ଆନ୍ଦୋଳନ ତେଜିଛି। ୨୮ ଦିନ ହେଲା ଚାଲିଥିବା ଆନ୍ଦୋଳନ ଆଜି ଜଟିଳ ହୋଇଛି। ଆଇନଜୀବୀମାନେ କଟକର ବିଭିନ୍ନ ସରକାରୀ ଅଫିସରେ ତାଲା ପକାଇ ପିକେଟିଂ କରିଛନ୍ତି।

ଓକିଲଙ୍କ ଆନ୍ଦୋଳନ ପାଇଁ କଟକରେ ଟ୍ରେଜେରୀ, ଜିଲ୍ଲାପାଳ ଅଫିସ, ଅବକାରୀ, ଡିଆର୍‌ଡିଏ, ବ୍ୟାଙ୍କ, ଆର୍‌ଟିଓ, ବୋର୍ଡ ଅଫ୍ ରେଭିନ୍ୟୁ, ରାଜ୍ୟ ପରିବହନ କମିଶନଙ୍କ ଅଫିସରେ କାମ ଠପ୍ ହୋଇ ଯାଇଥିଲା।

ଅଫିସ ଗେଟ୍‌ରେ ତାଲା ପକାଇ ଆଇନଜୀବୀମାନେ ପିକେଟିଂ କରିଥିଲେ। କୌଣସି କର୍ମଚାରୀଙ୍କୁ ଅଫିସ ଭିତରକୁ ଛାଡ଼ି ନଥିଲେ। କର୍ମଚାରୀମାନେ ଅଫିସ ଆଗରେ ନୀର୍ଘ ସମୟ ଧରି ଛିଡ଼ା ହେବା ପରେ ନିରାଶ ହୋଇ ଘରକୁ ଫେରିଥିଲେ।

ଓଡ଼ିଶା ହାଇକୋର୍ଟର ଚାରିଟି ଗେଟ୍‌ରେ ମଧ୍ୟ ଆଇନଜୀବୀମାନେ ତାଲା ପକାଇଥିଲେ। ହାଇକୋର୍ଟରେ ବି ଆଜି କୌଣସି କାମ ହୋଇପାରି ନଥିଲା।

“ପୋଲିସ ଏବଂ ଓକିଲଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ସରକାରଙ୍କର କୌଣସି ପ୍ରତିନିଧି ଆଲୋଚନା କରିବାକୁ ଆସୁ ନାହାନ୍ତି। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ”, କହିଛନ୍ତି ହାଇକୋର୍ଟ କ୍ରିମିନାଲ ବାର୍ ଆସୋସିଏସନ ସଭାପତି ଅକ୍ଷୟ କୁମାର ପତି।

ସରକାର ଯଦି ଆମ ଦାବି ଦୁଇ ଦିନ ଭିତରେ ପୂରଣ ନକରନ୍ତି ତାହାଲେ ଆଇନଜୀବୀମାନେ ନବୀନ ନିବାସ ଅଭିମୁଖେ ଯିବେ। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେବେ ବୋଲି ଶ୍ରୀ ପତି କହିଛନ୍ତି।

ଅଗଷ୍ଟ ୨୮ ତାରିଖରେ କଟକ ନୂଆବଜାର ଅଞ୍ଚଳରେ ହାଇକୋର୍ଟର ଆଇନଜୀବୀ ଦେବର ପଟ୍ଟନାୟକଙ୍କୁ ଜଣେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ୩୦ ତାରିଖରୁ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ।

Comment