ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତାରୁ ରାଜନେତା ହୋଇଥିବା କମଳ ହାସନ ଆଜି ଚେନ୍ନାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଚେନ୍ନାଇରେ ଭେଟିଛନ୍ତି ଅଭିନେତାରୁ ରାଜନେତା ବନିଥିବା କମଳ ହାସନ। ନବୀନଙ୍କ ସହ ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ତେବେ ହଠାତ୍ କମଳ ହାସନ ନବୀନଙ୍କୁ ଭେଟିବାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

କମଳ ହାସନ କିଛିଦିନ ତଳେ ଏମ୍‌ଏନ୍‌ଏମ୍‌ ନାଁରେ ନୂଆ ରାଜନୈତିକ ଦଳ ଗଠନ କରିଥିଲେ।

“ରାଜନୀତିରେ ମୁଁ ନୂଆ। ନବୀନ ପଟ୍ଟନାୟକ ଜଣେ ଅନୁଭବୀ ନେତା। ତାଙ୍କଠାରୁ ମୁଁ ରାଜନୀତି ବିଷୟରେ ପରାମର୍ଶ ନେବାକୁ ଆସିଥିଲି”, କହିଛନ୍ତି କମଳ ହାସନ।

କମଳ ହାସନ ଆହୁରି କହିଛନ୍ତି ଯେ ନବୀନ ଓଡ଼ିଶାବାସୀଙ୍କୁ ସୁଶାସନ ଦେଇ ଆସୁଛନ୍ତି। ଯେତେବେଳେ ସେ ରାଜନୀତିରେ ନୂଆକରି ପ୍ରବେଶ କରିଥିଲେ ସେତେବେଳେ ସେ ସମାଲୋଚନାର ଶିକାର ହୋଇଥିଲେ। କିନ୍ତୁ ପରେ ସମାଲୋଚକଙ୍କ ମୁହଁ ବନ୍ଦ କରି ନବୀନ ରାଜନୀତିରେ ସଫଳତା ହାସଲ କରିଛନ୍ତି।

“ନବୀନ ପଟ୍ଟନାୟକ ନୂଆ ନୂଆ ଯୋଜନା ପ୍ରଣୟନ କରି ପ୍ରଶଂସିତ ହୋଇଛନ୍ତି। ଜାତୀୟ ସ୍ତରରେ ମଧ୍ୟ ତାଙ୍କ ଯୋଜନା ପ୍ରଭାବ ପକାଇଛି। ନବୀନ ବାବୁଙ୍କ ବିପର୍ଯ୍ୟୟ ପରିଚାଳନା ନୀତି ସବୁଠୁ ଭଲ। ତାଙ୍କଠାରୁ କିଛି ଶିଖିବାର ଅଛି”, କହିଛନ୍ତି କମଳ ହାସନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟନ କରିବା ପାଇଁ ତାମିଲନାଡ଼ୁ ଗସ୍ତରେ ଯାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ଭବନ ଉଦଘାଟନ କରିବା ସହ ବୁଧବାର ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇଛନ୍ତି।

Comment