ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଲୋକ କଳା ସହ ପ୍ରଚାର ରଥର ଶୁଭାରମ୍ଭ କରିଛନ୍ତି।

ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗୁରୁବାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି।

ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚାର ରଥଟି ସମଗ୍ର ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ବୁଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ସଚେତନ କରାଇବ। ଏହି ରଥକୁ ଗୁରୁବାର ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଏହି ରଥ ଗଞ୍ଜାମ, ଖୋର୍ଦ୍ଧା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, କଟକ, ବଲାଙ୍ଗିର ଭଳି ୧୦ଟି ଜିଲ୍ଲାରେ ପ୍ରଚାର କରିବ। ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ଏହି ରଥ ଅବଶିଷ୍ଟ ଜିଲ୍ଲାଗୁଡିକରେ ବୁଲି ସ୍ୱାସ୍ଥ୍ୟ ଯୋଜନା ବିଷୟରେ ଗରିବ ଲୋକଙ୍କୁ ସଚେତନ କରାଇବ।

ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଏହି ରଥ ମାଧ୍ୟମରେ ଯୋଜନା ବିଷୟରେ ସମସ୍ତ ତଥ୍ୟ ଲୋକମାନଙ୍କ ନିକଟରେ ପହଞ୍ଚିପାରିବ। ଏହାଛଡ଼ା ମାସକ ମଧ୍ୟରେ ୪୫ ଲକ୍ଷ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।“

ଏଥିରେ ଜିଲ୍ଲା ଲୋକ କଳା ସଂଘ, ବ୍ଲକ୍ ଲୋକ ସଂଘ ଓ ସହରାଞ୍ଚଳ ଲୋକ କଳା ସଂଘ ସଦସ୍ୟଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। କାରଣ ସେମାନେ ସ୍ଥାନୀୟ ଭାଷାରେ ଅଭିନୟ ମାଧ୍ୟମରେ ଏହି ଯୋଜନାର ମଧ୍ୟ ପ୍ରଚାର କରିବେ।

ଏହାଛଡ଼ା ଗୁରୁବାର ଆରମ୍ଭ ହୋଇଥିବା ଏହି ଯୋଜନାରେ ଦୁଇ ପ୍ରକାର ସେବା ପ୍ରଦାନ କରାଯାଇଛି। ପ୍ରଥମତଃ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ଚିକିତ୍ସାଳୟ ପର୍ଯ୍ୟନ୍ତ ବିନା ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ।

ଦ୍ୱିତୀୟତଃ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଥିବା ଓଡ଼ିଶାର ୭୦ ଲକ୍ଷ ପରିବାରକୁ ଜଣ ପିଛା ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ପ୍ରଦାନ କରାଯିବ। ବିଜୁ କୃଷକ କଲ୍ୟାଣ ଯୋଜନା, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ଓ ଓଡ଼ିଶା ରାଜ୍ୟ ଚିକିତ୍ସା ବୀମା ପାଇଁ ଯୋଗ୍ୟ ବିବେଚିତ ସମସ୍ତ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି।

Comment