ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ କରିବା ଦାବିରେ ହାଇକୋର୍ଟ ଯିବ ବିଜେପି।

ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ସାର୍ବଜନୀନ କରାଯିବନି। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାକୁ ସାର୍ବଜନୀନ କରିବା ଠିକ୍ ହେବନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ। ଶ୍ରୀମନ୍ଦିର ପ୍ରଶାସକଙ୍କ ଏହି ମନ୍ତବ୍ୟକୁ ଆଜି ବିରୋଧ କରିଛି ବିଜେପି।

ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ କରିବା ଦରକାର ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଦାବି କରିଛନ୍ତି। ଏ ସମ୍ପର୍କରେ ବିଜେପି ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, “ସରକାରଙ୍କ ଏଭଳି ନିଷ୍ପତ୍ତି ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଏବଂ ମୌଳିକ ଅଧିକାରର ବିରୁଦ୍ଧାଚରଣ କରୁଛି। ସରକାର ଜଗନ୍ନାଥ ସଂସ୍କୃତି ବିରୋଧରେ ଏକ ବିରାଟ ଷଡ଼ଯନ୍ତ୍ର କରୁଛନ୍ତି।”

ଶ୍ରୀ ଆଚାର୍ଯ୍ୟ ଆହୁରି କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରୁ। ସାଢେ ୪ କୋଟି ଓଡ଼ିଆଙ୍କୁ ବ୍ରହ୍ମ ବିଭ୍ରାଟ ସଂପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ନକରାଗଲେ ରାଜ୍ୟ ବିଜେପି ଜନସ୍ୱାର୍ଥ ମାମଲା ଜରିଆରେ ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ।

୨୦୧୫ ନବକଳେବର ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ସରକାର ତଦନ୍ତ କମିଟି ଗଠନ କରି ତଦନ୍ତ କରିଥିଲେ। ହେଲେ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇ ନଥିଲା। ବିଜେପି ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଥିଲା।

ଗୁରୁବାର ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବ୍ରହ୍ମ ବିଭ୍ରାଟ ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା।

Comment