ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଗ୍ରହଣ କରୁ ନାହାନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ସାରା ଭରତ ବର୍ଷରେ ଆୟୁଷ୍ମାନ ଭାରତ ଭଳି ଏକ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ବେଳେ କେବଳ ଓଡ଼ିଶାରେ ଏହା ଲାଗୁ ନହେବା ଦୁର୍ଭାଗ୍ୟଜନକ ବୋଲି ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ପକ୍ଷରୁ କୁହାଯାଇଛି। ଏହାକୁ ନେଇ ବିଜେପି ସାରା କେନ୍ଦ୍ରାପଡ଼ା ଜିଲ୍ଲାରେ ଲୋକ ମାନଙ୍କ ନିକଟରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି।

ସ୍ୱାସ୍ଥ୍ୟସେବା ଭଳି ଏକ ଅତ୍ୟାବଶ୍ୟକ ସେବାରୁ ଓଡ଼ିଶାବାସୀଙ୍କୁ ବଞ୍ଚିତ କରିଛନ୍ତି ନବୀନ। ସାରା ଦେଶରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପରି ଲୋକପ୍ରିୟ ଯୋଜନାକୁ କାର୍ଯ୍ୟକାରୀ କରାଯାଉଥିବା ବେଳେ ଓଡ଼ିଶାରେ କାହିଁକି ଏହା ଲାଗୁ କରାଯାଉନି ତାହାର ଭିତିରି କାରଣ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ଆବଶ୍ୟକତା ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଏହି ମର୍ମରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ବିଜେପି ନେତାମାନେ ଏହା କହିଛନ୍ତି। ଆସନ୍ତା ଅକ୍ଟୋବର ମାସ ପ୍ରଥମ ସପ୍ତାହରେ କେନ୍ଦ୍ରାପଡ଼ା ଜିଲ୍ଲାର କୋଣ ଅନୁକୋଣରେ ଏହି ବାର୍ତ୍ତା ପହଞ୍ଚାଇବାକୁ ବିଜେପି ଯୋଜନା ପ୍ରସ୍ତୁତ କରିଛି।

ବିଜେପି ଅଭିଯୋଗ କରିଛି ଯେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ଇନସ୍ୟୁରାନ୍ସ ଭିତ୍ତିକ ଆୟୁଷ୍ମାନ ଭରତ ଯୋଜନାକୁ କାର୍ଯ୍ୟକାରୀ ନକରି ରାଜ୍ୟ ସରକାର କେବଳ ଆସ୍ୟୁରାନ୍ସ ଭିତ୍ତିକ ବିଜୁ ସ୍ୱାସ୍ଥ୍ଥ୍ୟକଲ୍ୟାଣ ଯୋଜନାକୁ କାହିଁକି କାର୍ଯ୍ୟକାରୀ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି।

ରାଜୟ ସରକାର ତାଙ୍କର ଏହି ଯୋଜନାରେ ମାତ୍ର ୪୫୦ କୋଟି ଟଙ୍କା ରଖିଛନ୍ତି। ଯଦି ପ୍ରତି ପରିବାରଙ୍କୁ ୫ ଲକ୍ଷ ଟଙ୍କା କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଏ ତେବେ ଏହି ଟଙ୍କା କେବଳ ୯ ହଜାର ପରିବାରଙ୍କୁ ଦେଇଦେଲେ ଶେଷ ହୋଇଯିବ। ରାଜ୍ୟ ସରକାର କହୁଥିବା ୭୦ ଲକ୍ଷ ଲୋକମାନଙ୍କୁ କିପରି ଏହି ଯୋଜନାରେ ୫ ଲକ୍ଷ ଟଙ୍କା ଦେବାକୁ ସମର୍ଥ ହେବେ? ୭୦ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦେବାକୁ ହେଲ ପ୍ରକୃତପକ୍ଷେ ମାତ୍ର ୧୨୮ ଟଙ୍କା ହିସାବରେ ରହିବ ବୋଲି ବିଜେପି କହିଛି। ରାଜ୍ୟ ସରକାରଙ୍କ ଓଡ଼ିଶା ଷ୍ଟେଟ ଟ୍ରିଟମେଣ୍ଟ ଫଣ୍ଡ ଯୋଜନାରେ ଯାହା ସବୁ ବ୍ୟବସ୍ଥା ଆଗରୁ ରହିଥିଲା ତାହା କେବଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରହିଥିବା ବିଜେପି କହିଛି। କେନ୍ଦ୍ରସରକାରଙ୍କର ୬୦୦ କୋଟି ଟଙ୍କାର ସହାୟତାକୁ ହାତଛଡ଼ା କରିବାକୁ ଯାଉଛନ୍ତି ଓଡ଼ିଶା ସରକାର।

ବିଜେପି ଆହୁରି ଅଭିଯୋଗ କରିଛି ଯେ ସାରା ରାଜ୍ୟରେ ଡାକ୍ତର ଅଭାବ ସାଙ୍ଗକୁ ଔଷଧ ଅଭାବ, ଅତ୍ୟାଧୁନିକ ଯନ୍ତ୍ରପାତିର ଅଭାବ ରହିଛି। ଆଇସିୟୁ ସୁବିଧା ମଧ୍ୟ କୋମାରେ। ରାଜ୍ୟରେ ୫ ହଜାର ୨୯୮ ସ୍ୱାସ୍ଥ୍ୟକେନ୍ଦ୍ର ୧୨୩୯ ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ। ଓଡ଼ିଶାରେ ପ୍ରତି ୧ଲକ୍ଷ ଲୋକରେ ୯.୬୬ ଡାକ୍ତର ରହିଛନ୍ତି। ଏହା ଜାତୀୟ ହାରଠାରୁ ବହୁତ କମ୍।

ପ୍ରତି ୧୦ହଜାର ଲୋକମାନଙ୍କ ପାଇଁ ୪ରୁ କମ୍ ବେଡ୍ ରହିଛି। ରାଜ୍ୟର ୮୭ ପ୍ରତିଶତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନଥିବା ବେଳେ ୫୭ ପ୍ରତିଶତ ସ୍ୱାସ୍ଥ୍ୟକେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି। ୨୫ ପ୍ରତିଶତ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ସହାୟକ ପଦବୀ ଖାଲିପଡ଼ିଛି। ରାଜ୍ୟର ୬୭୧୯ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ମଧ୍ୟରୁ ୪୦୨୧ଟି ପଦବୀରେ ଏବେ ଡାକ୍ତର ରହିଛନ୍ତି ଓ ୨୬୮୭ ଡାକ୍ତରୀ ପଦବୀ ଖାଲିପଡ଼ିଛି।

ଏଭଳି ସ୍ଥିତିରେ ରାଜ୍ୟ ସରକାର କିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି? ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କର୍ମକର୍ତ୍ତା ଗାଁକୁ ଗାଁ ଆଉ ଘରକୁ ଘର ବୁଲିବେ ବୋଲି କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁ, ବିଜେପି ନେତା ଭୁବନ ମୋହନ ଜେନା, ପୂର୍ବତନ ବିଧାୟକ ଉତ୍କଳ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Comment