ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର କହୁଥିବା ବେଳେ ବାରିପଦାର ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟରେ ଏହିଭଳି ଏକ ସଙ୍ଗୀନ ଅଭିଯୋଗ ହୋଇଛି।

ବିଶ୍ଵବିଦ୍ୟାଳୟ ଅଧିନରେ ଥିବା ସେଲ୍ଫଫାଇନାନ୍ସିଂ କୋର୍ସରେ ରହିଛି ଯୋଗ ଏବଂ ନେଚେରୋପାଥି ବିଭାଗ। ସେହି ବିଭାଗର ଅଧ୍ୟାପକଙ୍କ ନାମରେ ଆସିଛି ଏହି ସଙ୍ଗୀନ ଅଭିଯୋଗ। ଆଉ ଏହି ଅଭିଯୋଗ କରିଛନ୍ତି ସେହି ବିଭାଗର ଛାତ୍ରୀମାନେ।

ବିଶ୍ଵ ବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ କୋର୍ସରେ ଥିବା ଅଧ୍ୟାପକ ଛାତ୍ର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଛାତ୍ରୀମାନଙ୍କୁ ଅନେକ ସମୟରେ ପ୍ରାକ୍ଟିକାଲ କ୍ଲାସ ଆଳରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା, ବିଭିନ୍ନ ପ୍ରକାର ଅଶ୍ରାବ୍ୟ ଭାଷା ପ୍ରୟୋଗ କରିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଶିକ୍ଷାନୁଷ୍ଠାନଗୁଡ଼ିକରେ ଏହିଭଳି ସଂଗୀନ ଅଭିଯୋଗ ଆସିଲେ, ସେଗୁଡ଼ିକର ଯଥାଶୀଘ୍ର ତଦନ୍ତ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନେବାକୁ ନିୟମ ରହିଥିଲେ ବି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିଶୁଣି କାଳ ବିଳମ୍ବ କରୁଥିବା ସହିତ ଘଟଣାକୁ ଆପୋଷରେ ସମାଧାନ କରିବାକୁ କୁଆଡ଼େ ଚାପ ପକାଉଥିବା କଥା କହିଛନ୍ତି ଅଭିଯୋଗକାରୀ ଛାତ୍ରୀମାନେ।

ଏହି ଘଟଣା ସମ୍ପର୍କରେ ଅଭିଯୋଗକାରୀ ଛାତ୍ରୀମାନେ ଗତ ଫେବୃୟାରୀ ମାସରୁ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ବି ଆଜି ପର୍ଯ୍ୟନ୍ତ ସେମାନେ ନ୍ୟାୟ ପାଇପାରୁ ନଥିବା ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ନାମକୁ ମାତ୍ର ମିଟିଂ ଡାକି ସେମାନଙ୍କ ଉପରେ ଚାପସୃଷ୍ଟି କରିବା ବ୍ୟତୀତ ଅଭିଯୁକ୍ତ ଅଧ୍ୟାପକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗକାରୀ ଛାତ୍ରୀମାନେ କହିଛନ୍ତି।

ଶେଷରେ ମୁଖ୍ୟ ଅଭିଯୋଗକାରୀ ଦୁଇଜଣ ଛାତ୍ରୀ ଶେଷରେ ବିଶ୍ଵବିଦ୍ୟାଳୟ କୁଳପତିଙ୍କ ଅଫିସ ସମ୍ମୁଖରେ ଧାରଣା ଦେବାକୁ ବସିବା ପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରିଛନ୍ତି।

ଏ ସମ୍ପର୍କରେ ଅଭିଯୋଗକାରୀ ଛାତ୍ରୀମାନଙ୍କ ବୟାନ ରେକର୍ଡ କରାଯାଇ ବିଶ୍ଵବିଦ୍ୟାଳୟର ସେକ୍ସୁଆଲ ହାରାସମେଣ୍ଟ କମିଟି ଦ୍ଵାରା ତଦନ୍ତ କରାଯାଇଛି। “କମିଟିର ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ” ବୋଲି କମିଟିର ଅଧ୍ୟକ୍ଷା କହିଛନ୍ତି।

ଅପରପକ୍ଷରେ ବିଶ୍ଵବିଦ୍ୟାଳୟ ପକ୍ଷରୁ ଏହି ବିଭାଗରେ ଜଣେ ମାତ୍ର ଠିକା ଅଧ୍ୟାପକ ଭାବେ ସଂପୃକ୍ତ ଅଧ୍ୟାପକଙ୍କୁ ନିଯୁକ୍ତି ଦେଇଥିବାରୁ ସେ ଦୁଇଟି ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନଙ୍କୁ ନିୟମିତ ଭାବେ କ୍ଲାସ ନେବା ସମ୍ଭବପର ହେଉନଥିବା କଥା କହିଛନ୍ତି।

ତେବେ ଛାତ୍ରୀମାନଙ୍କ ପ୍ରତି ନିର୍ଦ୍ଧିଷ୍ଟ ଅଭିଯୋଗକୁ ସେ ଅସ୍ଵୀକାର କରି ଏହା ଆକ୍ରୋଶମୂଳକ ବୋଲି କହିଛନ୍ତି ସଂପୃକ୍ତ ଅଧ୍ୟାପକ। ହେଲେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏ ପ୍ରକାର ସମ୍ବେଦନଶୀଳ ପ୍ରସଙ୍ଗରେ ଯଥାଶୀଘ୍ର ନ୍ୟାୟୋଚିତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବିଶ୍ଵବିଦ୍ୟାଳୟର ସୁନାମରେ ଆଞ୍ଚ ଆସିବା ସହିତ ନ୍ୟାୟ ଅପେକ୍ଷାରେ ଥିବା ଛାତ୍ର ଛାତ୍ରୀମାନେ ପରବର୍ତ୍ତୀ ପଦକ୍ଷେପକୁ ବାଧ୍ୟ ହୋଇ ଆପଣେଇବେ ବୋଲି କହିଛନ୍ତି।

Comment