ଓଡ଼ିଶାଲାଇଭ୍ ବ୍ୟୁରୋ

- ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ଆରମ୍ଭ
- ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ
- ବାଲିଅନ୍ତାସ୍ଥିତ ଗାନ୍ଧି ସ୍ମୃତି ପୀଠ ଗସ୍ତ କଲେ ମୁଖ୍ୟମନ୍ତ୍ରୀ
- ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ
- କୁଶଭଦ୍ରା ନଦୀରେ ସେତୁ ଲୋକାର୍ପିତ
- ଭୁବନେଶ୍ୱରରେ ମେକାନିକାଲ ସୁଇପିଂ ଗାଡ଼ି ଲୋକାର୍ପିତ
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ଆଜିଠାରୁ ଆରମ୍ଭ ହୋଇଛି। ଏହି ଉଲପକ୍ଷେ ଆଜି ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲିଅନ୍ତାସ୍ଥିତ ଗାନ୍ଧି ସ୍ମୃତି ପୀଠ ଗସ୍ତ କରି ଗାନ୍ଧି ଜ୍ୟୋତି ଯାତ୍ରା ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟନ କରିଛନ୍ତି।
ଓଡ଼ିଶା ଗସ୍ତ ବେଳେ ମହାତ୍ମା ଗାନ୍ଧି ବାଲିଅନ୍ତାରେ ୩ ଦିନ ରହିଥିଲେ। ଏହି ସ୍ମୃତିରେ ମୁଖ୍ୟମନ୍ତ୍ରୀ ଆଜି କୁଶଭଦ୍ରା ନଦୀରେ ସେତୁ ଲୋକାର୍ପଣ କରିଛନ୍ତି। ଏହି ସେତୁକୁ ମହାତ୍ମା ଗାନ୍ଧିଙ୍କ ନାମରେ ନାମିତ କରାଯାଇଛି। ଏହାସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ଲୋକାର୍ପଣ କରିଥିଲେ ନବୀନ।
ଗାନ୍ଧି ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଆଜି ସକାଳେ ବିଧାନସଭା ପରିସରରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ବାଚସ୍ପତି ପ୍ରଦୀପ କୁମାର ଅମାତ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
ଏହାସହ ଭୁବନେଶ୍ୱର ରିଜିଓନାଲ କଲେଜ ଛକଠାରେ ମୁଖ୍ୟମନ୍ତ୍ରୀ ମେକାନିକାଲ ସୁଇପିଂ ଗାଡ଼ି ଏବଂ ୫୦ଟି ସ୍ମାର୍ଟ ଇ-ଟଏଲେଟ ଲୋକାର୍ପଣ କରିଥିଲେ।














