ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନ୍ତ୍ରୀ ପ୍ରଦୀପ ମହାରଥୀ ମହିଳାମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ପଡ଼ିଛନ୍ତି। ମହାରଥୀଙ୍କ ଇସ୍ତଫା ଦାବି କରି ଆସୁଛି ବିଜେପି। ହେଲେ ମହାରଥୀ ଇସ୍ତଫା ଦେଇ ନଥିବାରୁ ଏବଂ ମୁଖ୍ୟମନ୍ତ୍ରୀ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ବିଜେପି ମହିଳା ମୋର୍ଚ୍ଚା ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲା। ଫଳରେ ପୋଲିସ ଓ ବିଜେପି ମହିଳା ମୋର୍ଚ୍ଚା କର୍ମୀଙ୍କ ମଧ୍ୟରେ ଧସ୍ତିଧସ୍ତି ହୋଇଥିଲା।

“ମହାରଥୀ ମହିଳାମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବାରୁ ରାଜ୍ୟ ମହିଳା ମୋର୍ଚ୍ଚାର ଶତାଧିକ ମହିଳା ଏକାଠି ହୋଇ ଶାନ୍ତିପୂର୍ଣ୍ଣ ତଥା ଅହିଂସା ଉପାୟରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ। ହେଲେ ପୋଲିସ ରାସ୍ତାରେ ବାଟ ଓଗାଳିବା ସହ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ”, କହିଛନ୍ତି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚ ସଭାନେତ୍ରୀ ପ୍ରଭାତି ପରିଡ଼ା।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ପୋଲିସ ମହିଳା କର୍ମୀଙ୍କ ପ୍ରତି ଦୁର୍ବ୍ୟହାର ପ୍ରଦର୍ଶନ କରିଛି। ମହିଳା ପୋଲିସ ଥାଇ ପୁରୁଷ ପୋଲିସ ଜାଣିଶୁଣି ମହିଳା କର୍ମୀଙ୍କୁ ଆଶାଳୀନ ବ୍ୟବହାର କରିବା ସଂପୂର୍ଣ୍ଣ ଭାବେ ଆଇନ ବିରୋଧୀ। ଏହା ଦ୍ୱାରା ମହିଳାଙ୍କ ସମ୍ମାନ ହାନି ହୋଇଛି।

ମହିଳାମାନଙ୍କର ଦୁଇଟା ଲେଖାଏଁ ସ୍ୱାମୀ ଅଛନ୍ତି କହି ସମଗ୍ର ନାରୀ ଜାତିକୁ ଅପମାନିତ କରିଥିଲେ ମନ୍ତ୍ରୀ ପ୍ରଦୀପ ମହାରଥୀ।

ପୂର୍ବରୁ ବିଜେପି ମହିଳା ମୋର୍ଚ୍ଚା ଏ ସମ୍ପର୍କରେ ଥାନାରେ ଏତଲା ଦେବା ସହ ମହିଳା ମୋର୍ଚ୍ଚା କମିଶନ ଅଧ୍ୟକ୍ଷାଙ୍କୁ ଭେଟି ମନ୍ତ୍ରୀଙ୍କୁ ରିପୋର୍ଟ ତଲବ କରିବା ପାଇଁ ନିବେଦନ କରିଛି।

ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀଙ୍କୁ ବହିଷ୍କାର ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଭାତି କହିଛନ୍ତି। ଏହି ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସଂପାଦିକା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ସାମିଲ ହୋଇଥିଲେ।

Comment