ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗାଁରେ ଜଣେ ୭୩ ବର୍ଷିୟ ବୃଦ୍ଧଙ୍କୁ ସେହି ଗାଁର ଏକ ପରିବାରର ଲୋକେ ପାଣିରେ ବୁଡ଼ାଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ଅଭିଯୋଗରେ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ। ଘଟଣାଟି ସୋମବାର ସନ୍ଧ୍ୟାରେ ଘଟି ଥିଲା ବେଳେ ବିଳମ୍ବିତ ରାତିରେ ମୃତକଙ୍କ ପରିବାର ଲୋକେ ଥାନାରେ ଏହି ଅଭିଯୋଗ ଆଣିଛନ୍ତି। ମୃତକ ପୀତାମ୍ବର ସେଠୀଙ୍କ ଶବକୁ ଜବତ କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି। ଅଧିକ ତଥ୍ୟ ଜାଣିବାକୁ ଘଟଣାରେ ତଦନ୍ତ କରୁଛି ପୋଲିସ।

କେନ୍ଦ୍ରାପଡ଼ା ସଦର ଥାନା କଂସାର ଗାଁର ସତ୍ୟଜିତ ଦାସ ଓ ତାଙ୍କ ଭାଇ ଉତ୍ତମ ଦାସ ଗାଁର ଏକ ଜଳାଶୟକୁ ନିଲାମ ନେଇ ସେଥିରେ ମାଛ ଚାଷ କରୁଥିଲେ। ଗତକାଲି ସେହି ଗାଁର ସୁଧାଂସୁ ସେଠୀ ନାମକ ଜଣେ ଯୁବକ ସେହି ଜଳାଶୟରେ ବନିସ୍ ପକାଇ ମାଛ ଧରୁଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସତ୍ୟଜିତ ଓ ଉତ୍ତମ ସୁଧାଂଶୁଙ୍କୁ ଗାଳି ଦୁଲଜ କରି ମାଡ଼ କରିବାକୁ ଉଦ୍ୟମ କରିଥିଲେ। ଝଗଡ଼ା ଉଗ୍ରରୂପ ନେବାରୁ ସୁଧାଂଶୁଙ୍କ ବାପା ପୀତାମ୍ବର ଘଟଣାସ୍ଥଳରେ ପହଞ୍ଚି ଝଗଡ଼ାରେ ସାମିଲ ହୋଇଥିଲେ। ଗଣ୍ଡଗୋଳ ବଢ଼ିବାରୁ ତଳେ ପଡ଼ି ଯାଇଥିଲେ ଏବଂ ନିକଟରେ ଥିବା ଏକ ପୋଖରୀ ମଧ୍ୟକୁ ଖସି ପଡ଼ିଥିଲେ।

ପୋଖରୀ ଭିତରେ ସତ୍ୟଜିତ, ଉତ୍ତମ ଓ ତାଙ୍କ ମା’ ବେଙ୍ଗୁଲି ପୀତାମ୍ବରଙ୍କୁ ମାଡ଼ି ଧରିବାରୁ ପୀତାମ୍ବର ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ପୁଅ ସୁଧାଂଶୁ ଥାନାରେ ଅଭିଯୋଗ କରିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ପୀତାମ୍ବରଙ୍କ ମୃତଦେହକୁ ବ୍ୟବଛେଦ କରିବାକୁ କେନ୍ଦ୍ରପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଛି ପୋଲିସ।

କେନ୍ଦ୍ରାପଡା ସଦର ଥାନାରେ ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୨ ଓ ୩୪ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ସତ୍ୟଜିତ ଦାସ, ଉତ୍ତମ ଦାସ ଓ ତାଙ୍କ ମା’ ବେଙ୍ଗୁଲିଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ।

Comment