ଓଡ଼ିଶାଲାଇଭ୍‌ ବ୍ୟୁରୋ

୫ ରାଜ୍ୟ ପାଇଁ ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି ଭାରତୀୟ ନିର୍ବାଚନ କମିଶନ। ମୋଦି, ରାହୁଲଙ୍କୁ ନେଇ ସରଗରମ ପ୍ରଚାର ମଇଦାନ।

୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ଓପି ରାୱତ ଆଜି ବିଗୁଲ ଫୁଙ୍କିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଏବଂ ତେଲେଙ୍ଗାନା ରାଜ୍ୟରେ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି।

ଗୋଟିଏ ପଟେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୁହାଁମୁହିଁ ହୋଇଛନ୍ତି। ମୋଦି ରାଜସ୍ଥାନରେ ପ୍ରଚାରକୁ ଜୋରଦାର କରି କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ ରାହୁଲ କେନ୍ଦ୍ରର ବିଜେପି ସରକାରକୁ ମଧ୍ୟପ୍ରଦେଶରେ ନିଶାନା କରିଛନ୍ତି।

ରାଜସ୍ଥାନରେ ବର୍ଷିଲେ ମୋଦି

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଗୌରବ ଯାତ୍ରା ଆୟୋଜନ କରିଥିଲେ। ଆଜମୀରଠାରେ ଆଜି ଏହା ଶେଷ ହୋଇଛି। ଉଦଯାପନୀ ସଭାରେ ମୋଦି ଯୋଗଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି।

“ସବୁବେଳେ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ଦଳକୁ ସରକାରକୁ ଆସିବାକୁ ଦିଅନ୍ତୁ ନାହିଁ। କାରଣ ସେଭଳି ଦଳ ଯଦି ସରକାରକୁ ଆସିବେ ତାହାଲେ ଅଫିସରମାନଙ୍କ ଭିତରେ ଭୋଟ ବ୍ୟାଙ୍କ ରାଜନୀତି କରିବେ। ଅଫିସରମାନଙ୍କୁ ଭାଗ ଭାଗ କରିଦେବେ। ପୋଲିସ କର୍ମଚାରୀଙ୍କ ଭିତରେ ଭେଦଭାବ ସୃଷ୍ଟି କରିବେ”, କଂଗ୍ରେସର ନାଁ ନନେଇ ଏମିତି ଟାର୍ଗେ ଟ କରିଛନ୍ତି ମୋଦି।

ମୋଦି ସର୍ଜିକାଲ ଷ୍ଟ୍ରାଇକ ଉପରେ କହିବାକୁ ଯାଇ କଂଗ୍ରେସକୁ ଆଟାକ କରିଥିଲେ।

ସେ କହିଥିଲେ, “ପୃଥ୍ୱୀରାଜ ଚୌହାନକୁ ବର୍ତ୍ତମାନର ପିଢ଼ି କେବେ ଦେଖି ନାହାନ୍ତି। କିନ୍ତୁ ତାଙ୍କର ବୀରତ୍ୱ ଏବଂ ପରାକ୍ରମକୁ ଆଜି ସମସ୍ତେ ମନେପକାଉଛନ୍ତି। ସର୍ଜିକାଲ ଷ୍ଟ୍ରାଇକ ଆମ ଭାରତୀୟ ଯବାନମାନଙ୍କର ଏକ ବୀରତ୍ୱର ଗାଥା। ଶତ୍ରୁ ପକ୍ଷକୁ ଦୃଢ଼ ଜବାବ ଦେଇ ଆମ ଯବାନମାନେ ପରାକ୍ରମ ଦେଖାଇଛନ୍ତି। ଭାରତୀୟ ଯବାନମାନଙ୍କୁ ନେଇ ସାରା ଦେଶବାସୀ ଗର୍ବ ଅନୁଭବ କରୁଥିବା ବେଳେ କଂଗ୍ରେସ ଅସମ୍ମାନ କରିବାକୁ ଉଦ୍ୟମ କରିଛି। ଏହା ସବୁଠୁ ଦୁର୍ଭାଗ୍ୟଜନକ।”

୫ ବର୍ଷ ଭିତରେ ଆମେ ଯାହା କରିଛୁ ଲୋକମାନଙ୍କୁ ତାର ହିସାବ ଦବାକୁ ପଛାଇ ନାହୁଁ। ଜନସାଧାରଣଙ୍କୁ ଆମେ ଗୋଟି ଗୋଟି ହିସାବ ଦେଇଛୁ।

ବିଜେପିକୁ କଟାକ୍ଷ କଲେ ରାହୁଲ

ରାଜସ୍ଥାନରେ ମୋଦି କଂଗ୍ରେସ ଉପରେ ବର୍ଷିବା ପରେ ରାହୁଲ ଗାନ୍ଧି କେନ୍ଦ୍ରର ବିଜେପି ସରକାରକୁ ନିଶାନା କରିଛନ୍ତି। ବିଜେପିର ଗଡ଼ ମଧ୍ୟପ୍ରଦେଶରେ ପ୍ରଚାର କରି ନିର୍ବାଚନ ମଇଦାନକୁ ସରଗରମ କରିଛନ୍ତି ରାହୁଲ।

ରାହୁଲ କହିଛନ୍ତି, “୯ ହଜାର କୋଟି ଟଙ୍କା ନେଇ ବିଜୟ ମାଲ୍ୟା ଭାରତରୁ ଫେରାର ହୋଇଗଲେ। କିନ୍ତୁ ସରକାର ତାଙ୍କର କିଛି ବି କରିପାରୁ ନାହାନ୍ତି। କିନ୍ତୁ କୃଷକମାନେ ନିଜ ଅଧିକାର ପାଇଁ ରାଜରାସ୍ତାରେ ଲଢ଼େଇ କରୁଥିଲେ ମଧ୍ୟ ସେମାନଙ୍କୁ ସରକାର ଜେଲ୍‌ରେ ପୂରାଉଛନ୍ତି।”

ରାହୁଲ ଆହୁରି କହିଲେ ଯେ କଂଗ୍ରେସ ପଞ୍ଚାୟତକୁ ସଶକ୍ତ କରିଥିଲା। ପଞ୍ଚାୟତ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିଲା। କିନ୍ତୁ ମୋଦି ସରକାର ଆସିବା ପରେ ପଞ୍ଚାୟତରୁ ସବୁ ଶକ୍ତି ହଡ଼ପ କରି ନେଇଛନ୍ତି।

Comment