ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଜ୍ଜଳାକୁ ନେଇ ବଡ଼ ରାଜନୀତି। ଭିଡିଓ କନଫରେନ୍ସିଂରେ ମହିଳା ହିତାଧିକାରୀଙ୍କ ସୁବିଧା ଅସୁବିଧା ବୁଝିଲେ ଧର୍ମେନ୍ଦ୍ର।

ଓଡ଼ିଶାରେ ଉଜ୍ଜଳା ଯୋଜନା କେମିତି ଚାଲିଛି? ହିତାଧିକାରୀମାନେ ଉଜ୍ଜଳା ଯୋଜନାରେ ସୁବିଧା ପାଉଛନ୍ତି ନା ଅସୁବିଧା ଭୋଗୁଛନ୍ତି? ଏସବୁ ଜାଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଦ୍ୟମ କରିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଧର୍ମେନ୍ଦ୍ର ଓଡ଼ିଶାର ୧୮ ହଜାରରୁ ଅଧିକ ମହିଳା ହିତାଧିକାରୀଙ୍କ ସହ କଥା ହୋଇଛନ୍ତି। ମହିଳା ହିତାଧିକାରୀଙ୍କୁ ଆଜି ୧୦୦ଟି ସ୍ଥାନରେ ଏକାଠି କରାଯାଇଥିଲା।

ଧର୍ମେନ୍ଦ୍ର କହିଛନ୍ତି, “ମୋଦି ସରକାର ଆସିବା ପରେ ଓଡ଼ିଶାରେ ୫୩ ଲକ୍ଷ ପରିବାରକୁ ନୂଆ ଏଲପିଜି ସଂଯୋଗ କରାଯାଇଛି। ସେଥିମଧ୍ୟରୁ ଉଜ୍ଜଳା ଯୋଜନାରେ ୩୪ ଲକ୍ଷ ଉଜ୍ଜଳା ଗ୍ୟାସ ସଂଯୋଗ ଦିଆଯାଇଛି।

ଓଡିଶାରେ ୧ କୋଟି ପରିବାର ରହିଥିବା ବେଳେ ସେଥିମଧ୍ୟରୁ ୨୦୧୪ ମସିହା ସୁଦ୍ଧା ୨୦ ଲକ୍ଷ ଘରେ ଗ୍ୟାସ ସଂଯୋଗ କରାଯାଇଥିଲା। ଏବେ ଏହା ୭୩ ଲକ୍ଷରେ ପହଁଚିଛି। ୨୦୧୪ ମସିହା ସୁଦ୍ଧା ସାରା ଦେଶରେ ୧୩ କୋଟି ଏଲପିଜି କନକେସନ ଦିଆଯାଇଥିବା ବେଳେ ଏବେ ଏହା ଆସି ୨୩ କୋଟିରେ ପହଁଚିଛି।”

ଗତ କିଛିଦିନ ତଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉଜ୍ଜଳା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ବିଜେପି ଏବଂ ବିଜେଡି ଭିତରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା। ଧର୍ମେନ୍ଦ୍ର ଗାଁକୁ ଯାଇ ତଦାରଖ କରିବା ପାଇଁ ନବୀନଙ୍କୁ ଆହ୍ୱାନ ଦେଇଥିଲେ।

ଏହି ଆରୋପ ପ୍ରତ୍ୟାରୋପର କିଛି ଦିନ ପରେ ଧର୍ମେନ୍ଦ୍ର ଭିଡିଓ କନଫରେନ୍ସିଂ ଜରିଆରେ ଉଜ୍ଜଳା ହିତାଧିକାରୀଙ୍କ ସହ କଥା ହୋଇଛନ୍ତି। ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ଉଜ୍ଜଳା ହିତାଧିକାରୀଙ୍କୁ ବିଜେପି ଅସ୍ତ୍ର କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।

“ଉଜ୍ଜଳା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଏଥିରୁ ରକ୍ଷା ପାଇବା ପାଇଁ ବିଭାଗୀୟ ମନ୍ତ୍ରୀ ଏଭଳି ପ୍ରୟାସ କରୁଛନ୍ତି। ରାଜ୍ୟବାସୀ ସବୁ ଜାଣିଛନ୍ତି। ଠିକ୍ ସମୟରେ ଜବାବ ଦେବେ”, କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, “ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ି ରହିଛନ୍ତି। କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦି ପାର୍ ପାଇବାକୁ ବସିଛନ୍ତି ରାଜ୍ୟ ସରକାର। କିଏ କ’ଣ ତାହା ଓଡ଼ିଶାବାସୀ ଜାଣିଛନ୍ତି।”

Comment