ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲାର ନିଆଳି, ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳ ପରେ ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ମଙ୍ଗଳପୁର ଗାଁରେ ମାତିଛି ଅଜଣା ଜନ୍ତୁ।

ଗତ ଗୁରୁବାର ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ମଙ୍ଗଳପୁର ଗାଁର ଭ୍ରମରବର ଭୂୟାଁଙ୍କ ମେଣ୍ଢା ଗୁହାଳେ ଏକ ଅଜଣା ଜନ୍ତୁ ପଶି ୧୨ଟି ମେଣ୍ଢାଙ୍କ ବେକ କାଟି ରକ୍ତ ପିଇ ଚାଲିଗଲା। ମାନସିକ ଦୁଶ୍ଚିନ୍ତାରେ ପଡ଼ିଛନ୍ତି ଭ୍ରମରବରଙ୍କ ପରିବାର। ଗତ ଅଗଷ୍ଟ ୨୯ ତାରିଖରେ ୧୬ଟି ମେଣ୍ଢାଙ୍କୁ ମାରିଥିବା ବେଳେ ୩୦ତାରିଖରେ ୩ଟି ମେଣ୍ଢାଙ୍କୁ ମାରି ଫେରାର ହୋଇଯାଇଥିଲା ଏହି ଜନ୍ତୁ।

ଏ ବିଷୟରେ ଗ୍ରାମବାସୀ ବନ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ହେଲେ ବନ ବିଭାଗ ଏପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନେଇ ପାରିନାହିଁ। ଏବେ ପୁଣି ମେଣ୍ଢାଙ୍କୁ ମାରି ଚାଲିଗଲା ସେହି ଅଜଣା ଜନ୍ତୁ। ମଙ୍ଗଳପୁର ଗାଁରେ ମାତିଛି ଏହି ଅଜଣା ଜନ୍ତୁ। ଅଜଣା ଜନ୍ତୁ ଭୟରେ ତ୍ରାହି ତ୍ରାହି ଡାକିଲେଣି ମେଣ୍ଢା ଚାଷୀ ଭ୍ରମରବର।

ଗାଁରେ ଭ୍ରମରବର ଏକ ମାତ୍ର ବ୍ୟକ୍ତି କେବଳ ମେଣ୍ଢା ପାଳନ କରି ପରିବାର ପୋଷଣ କରନ୍ତି। ଭୂମିହୀନ ହୋଇଥିବାରୁ ରୋଜଗାରର ବିକଳ୍ପ ଭାବରେ ବହୁଦିନ ହେଲା ମେଣ୍ଢା ପାଳନକୁ ଜୀବିକା ଭାବରେ ନେଇ ଆସିଥିଲେ ଭ୍ରମରବର। ହେଲେ ଭାଗ୍ୟର ବିଡ଼ମ୍ବନା ଏହି ଲଗାତର ବଣୁଆ ଜନ୍ତୁର ଆକ୍ରମଣର ଶିକାର ହୋଇ ତାଙ୍କର ମେଣ୍ଢା ଗୁହାଳ ସଫା ହେବାକୁ ବସିଲାଣି।

ହେଲେ ପୁଣି ସେହିପରି ଏକା ଢଙ୍ଗରେ ଗତ ଗୁରୁବାର ରାତିରେ ଏପରି ଦୁର୍ଦ୍ଦଶା ଦେଇ ଯାଇଛି ଅଜଣା ଜନ୍ତୁ। ସକାଳୁ ସକାଳୁ ଖବର ପାଇ ଗାଁ ଲୋକେ ଭ୍ରମରବରଙ୍କ ଘର ନିକଟରେ ଭିଡ଼ ଜମାଇଥିଲେ। ଏପରି ଅଦ୍ଭୁତ ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ବନ ବିଭାଗ କିଛି ବି ପଦକ୍ଷେପ ନେଇ ପାରୁ ନ ଥିବା ଅଭିଯୋଗ କରିଛନ୍ତି ଲୋକେ।

ବିଗତ ଦିନରେ କଟକ ଜିଲ୍ଲାର ନିଆଳି ଏବଂ ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳଠାରେ ବାରମ୍ବାର ମେଣ୍ଢାମାନଙ୍କୁ ଆକ୍ରମଣ କରୁଥିବା ସତ୍ତ୍ୱେ ବନ ବିଭାଗ ଏଥିରୁ କିଛି ବି ଶିଖୁନାହିଁ।

ମେଣ୍ଢା ଆକ୍ରମଣରେ ସର୍ବସ୍ୱାନ୍ତ ହୋଇଥିବା ତୁରନ୍ତ ଭ୍ରମରବରଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଭ୍ରମରବର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି।

Comment