ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରଖ୍ୟାତ ବ୍ୟାଡମିଣ୍ଟନ୍ ସିଙ୍ଗଲ୍ସ ପ୍ଲେଆର୍ ସାଇନା ନେହୱାଲଙ୍କ ବାୟୋପିକ୍‌ର ସୁଟିଂ ଆରମ୍ଭ ହୋଇଯାଇଛି। ଏଥିରେ ଶ୍ରଦ୍ଧା କପୁର ଅଛନ୍ତି ଲିଡରୋଲ୍‌ରେ। ଅଧିକ ଆସନ୍ତୁ ଜାଣିବା ଏହି ଫିଲ୍ମ ବିଷୟରେ…

ସାଇନା ନେହୱାଲ୍ ଜଣେ ଭାରତୀୟ ପ୍ରଫେସନାଲ୍ ବ୍ୟାଡମିଣ୍ଟନ ସିଙ୍ଗଲ୍ସ ପ୍ଲେଆର। ସେ ୨୩ଟି ଇଣ୍ଟରନେସନାଲ୍ ଟାଇଟଲ୍‌ସ ଅର୍ଜନ କରିଛନ୍ତି। ସାଇନା ନେହୱାଲଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପଦ୍ମଶ୍ରୀ, ପଦ୍ମଭୂଷଣ ଓ ଅର୍ଜୁନ ଆୱାର୍ଡ ଭଳି ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।

ସାଇନା ନେହୱାଲ ବାୟୋପିକ୍‌ର ଫାର୍ଷ୍ଟଲୁକ୍

ସାଇନା ନେହୱାଲଙ୍କ ବାୟୋପିକ୍ ସିନେମାର ଫାର୍ଷ୍ଟ ଲୁକ୍‌ ସେପ୍ଟେମ୍ବର ୨୬ ତାରିଖରେ ଆଉଟ୍ ହୋଇଛି। ଏଥିରେ ଶ୍ରଦ୍ଧା କପୁରଙ୍କ ରୂପ ବେଶ୍ ପସନ୍ଦ ଆସିଛି ସିନେପ୍ରେମୀଙ୍କୁ। ଶ୍ରଦ୍ଧା କପୁରଙ୍କ ଅଭିନୀତ ଲାଟେଷ୍ଟ ଫିଲ୍ମ ‘ସ୍ତ୍ରୀ’ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହେବା ପରେ ସେ ଏବେ ଏହି ସିନେମାର ସୁଟିଂରେ ବ୍ୟସ୍ତ ଅଛନ୍ତି।

ସିନେ ସମୀକ୍ଷକ ରମେଶ ବାଲା ନିଜର ଟ୍ୟୁଟରରେ ଶ୍ରଦ୍ଧା କପୁରଙ୍କ ଫାର୍ଷ୍ଟଲୁକ୍‌କୁ ସେଆର୍ କରିଛି। ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି ଟିସିରିଜର ଭୂଷଣ କୁମାର। ଏହାର ନିର୍ଦ୍ଦେଶକ ହେଲେ ଅମୋଲ ଗୁପ୍ତେ।

ସାଇନାଙ୍କ ବାପାମାଆଙ୍କୁ ଭେଟିଲେ ଶ୍ରଦ୍ଧା

ପ୍ରଖ୍ୟାତ ଅଭିନେତା ଶକ୍ତି କପୁରଙ୍କ ଦକ୍ଷ ଅଭିନେତ୍ରୀ କନ୍ୟା ଶ୍ରଦ୍ଧା କପୁର ସାଇନା ନେହୱାଲଙ୍କ ବାୟୋପିକ୍‌ରେ ଅଭିନୟ କରିବା ସମୟରେ ସାଇନାଙ୍କ ବାପାମାଆଙ୍କୁ ଭେଟିଥିଲେ। ସେ ଉଭୟଙ୍କର ଆଶୀର୍ବାଦ ନେଇଥିଲେ। ଏହି ଫିଲ୍ମ ବ୍ୟତୀତ ଶ୍ରଦ୍ଧା ମେଗାଷ୍ଟାର ପ୍ରଭାସଙ୍କ ସହ ‘ସାହୋ’ରେ ନଜର ଆସିବେ।

ଶ୍ରଦ୍ଧାଙ୍କ ପରିଶ୍ରମ

ବଲିଉଡର ଲୋକପ୍ରିୟ ନାୟିକା ଶ୍ରଦ୍ଧା କପୁର ପ୍ରାୟ ବର୍ଷେ ହେବ ବ୍ୟାଡମିଣ୍ଟନ୍ କୋର୍ଟରେ ବ୍ୟାଡ୍‌ମିଣ୍ଟନ୍ ପ୍ରାକ୍ଟିସ କରୁଛନ୍ତି। ସେ ପ୍ରଖ୍ୟାତ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ବାୟୋପିକ୍‌ରେ ଅଭିନୟ କରିବା ଲାଗି ଏଭଳି କରୁଛନ୍ତି।

ଶ୍ରଦ୍ଧା ଜଣେ ପ୍ରଫେସନାଲ୍ ବ୍ୟାଡମିଣ୍ଟନ ପ୍ଲେଆର୍ ହେବା ପାଇଁ ଏଭଳି ପରିଶ୍ରମ କରିଛନ୍ତି। ସାଇନା ନେହୱାଲବି ତାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ସାଇନା ଚାହୁଁଛନ୍ତି ଯେ, ଶ୍ରଦ୍ଧା ଏଭଳି ବ୍ୟାଡମିଣ୍ଟନ୍ ଖେଳନ୍ତୁ। ଯେମିତି କି ପରଦା ଉପରେ ଦର୍ଶକ ମନେ କରିବେ ସତେ ଯେମିତି ଶ୍ରଦ୍ଧା ନୁହଁନ୍ତି, ସାଇନା ଖେଳୁଛନ୍ତି।

ଶ୍ରଦ୍ଧାଙ୍କ ଟାଣ କଥା

ଶ୍ରଦ୍ଧା କପୁର ଏହି ବାୟୋପିକ୍ ଫିଲ୍ମରେ କାମ କରିବା ଲାଗି ଅନ୍ୟ କେତେକ ସିନେମାର ଅଫର୍ ବି ଛାଡ଼ିଛନ୍ତି। କିନ୍ତୁ ପ୍ରଯୋଜନା ସଂସ୍ଥା ଇତିମଧ୍ୟରେ ସାଇନାଙ୍କ ବାୟୋପିକ୍‌ର ସୁଟିଂ ତାରିଖକୁ ଦୁଇଥର ଘୁଞ୍ଚାଇ ସାରିଲେଣି। ଏହାକୁ ନେଇ ଶ୍ରଦ୍ଧା ଖୁବ୍ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ।

ସେ ସାଇନାଙ୍କୁ ରୋକଠୋକ୍‌ ଶୁଣାଇଥିଲେ ଯେ, ଯଦି ତାଙ୍କ କାମରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ମନା କରନ୍ତୁ। ନତୁବା ଶୀଘ୍ର ସୁଟିଂ ଆରମ୍ଭ କରାଯାଉ। ଶ୍ରଦ୍ଧାଙ୍କ ଟାଣ କଥା ଶୁଣିବା ପରେ ସାଇନା ନେହୱାଲ ପ୍ରଯୋଜନା ସଂସ୍ଥା ସହିତ ପରାମର୍ଶ କରି ଏହି ଫିଲ୍ମର ସୁଟିଂ ସେପ୍ଟେମ୍ବର ମାସରେ ଆରମ୍ଭ କରିବାକୁ ରାଜି ହୋଇଥିଲେ।

ଏହି ଫିଲ୍ମରେ ବ୍ୟାଡମିଣ୍ଟନ୍ ବିଶେଷଜ୍ଞଙ୍କ ତତ୍ୱାବଧାନରେ ବ୍ୟାଡମିଣ୍ଟନ ଖେଳୁଥିବାର ଦୃଶ୍ୟ ସୁଟ୍ କରାଯିବା ସ୍ଥିରୀକୃତ ହୋଇଛି। ଶ୍ରଦ୍ଧା କପୁର ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

Comment