ଓଡ଼ିଶାଲାଇଭ୍ ବ୍ୟୁରୋ

- ଦଶହରା ପୂର୍ବରୁ ଭିଜିବ ଓଡ଼ିଶା
- ୯ ତାରିଖ ସନ୍ଧ୍ୟାରୁ ଆରମ୍ଭ ହେବ ବର୍ଷା
- ୧୩ ତାରିଖ ଯାଏଁ ରହିବ ପ୍ରଭାବ
- ୧୧ଟି ଜିଲ୍ଲାକୁ ସତର୍କ ସୂଚନା
- ୪୫ରୁ ୫୫ କିଲୋମିଟର ବେଗରେ ବହିପାରେ ପବନ
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି। ଏହା କ୍ରମେ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରୀ କରାଯାଇଛି। ଏହାର ପ୍ରଭାବରେ ଓଡ଼ିଶାର ୧୧ଟି ଜିଲ୍ଲାରେ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି।
୧୦ରୁ ୧୩ ତାରିଖ ଯାଏଁ ବାତ୍ୟାର ପ୍ରଭାବ ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି।
ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ୯ ତାରିଖ ସନ୍ଧ୍ୟାର ବର୍ଷା ଆରମ୍ଭ ହେବ। ୧୦ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ୧୧ ଓ ୧୨ ତାରିଖରେ ମଧ୍ୟ ପ୍ରବଳ ବର୍ଷା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଉତ୍ତର ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ରହିଛି। ଘଣ୍ଟାକୁ ୪୫ରୁ ୫୫ କିଲୋମିଟର ପ୍ରତି ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ଜାରୀ କରାଯାଇଥିବା ବୁଲେଟିନରେ ସୂଚନା ଦିଆଯାଇଛି। ପବନର ବେଗ ବଢ଼ିପାରେ ବୋଲି ବୁଲେଟିନରେ କୁହାଯାଇଛି।
କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ବୌଦ୍ଧ, ଖୋର୍ଦ୍ଧା ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସଜାଗ ରହିଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।


















