ଓଡ଼ିଶାଲାଇଭ୍ ବ୍ୟୁରୋ

  • ଇଣ୍ଟରନେଟ ବଢ଼ାଉଛି ମାନସିକ ରୋଗ
  • ପ୍ରତିଦିନ ପ୍ରାୟ  ୫୦ ଜଣ ଲୋକ ମାନସିକ ରୋଗରେ ଆକ୍ରାନ୍ତ
  • ୧୬ ବର୍ଷ ବୟସ ମଧ୍ୟରେ ଶତକଡ଼ା ୧୩ ଭାଗ ପିଲା ମାନସିକ ରୋଗରେ ଆକ୍ରାନ୍ତ
  • ବର୍ଷକୁ ୮ ହଜାର ଲୋକ ମାନସିକ ରୋଗରେ ଆକ୍ରାନ୍ତ

ବିଗତ ଦଶ ବର୍ଷ ଭିତରେ ଟେକ୍ନୋଲୋଜି କ୍ଷେତ୍ରରେ ହୋଇଥିବା ଉନ୍ନତି ଓ ପରିବର୍ତ୍ତନ ଗୋଟିଏ ପଟେ ବରଦାନ ଭଳି ହୋଇଥିବା ବେଳେ ଅନ୍ୟ ପଟେ ଏହା ଅନେକ କ୍ଷତି ସାଧନ ମଧ୍ୟ କରୁଛି। ଏହି ଲୋକସାନିକୁ ଆମେ ହାଲକା ଭାବରେ ନେଇ ପାରିବା ନାହିଁ। ଗବେଷକମାନେ ଗୋଟିଏ ନୁହେଁ ଅନେକ ମାନସିକ ରୋଗର ପତ୍ତା ଲଗାଇଛନ୍ତି, ଯାହା ପଛରେ ଇଣ୍ଟରନେଟର ଏକ ବଡ଼ ଭୂମିକା ରହିଛି।

ଜିଓ ଆସିବା ପରେ ଭାରତରେ ଇଣ୍ଟରନେଟ ପ୍ୟାକ୍ ଯେତେ ଯେତେ ଶସ୍ତା ହେଉଛି, ଏହା ଲୋକଙ୍କୁ ସେତେ ସେତେ ମାନସିକ ରୋଗ ଗ୍ରସ୍ତ କରୁଥିବା ଏକ ଚାଞ୍ଚଲ୍ୟକର ରିପୋର୍ଟ ପଦାକୁ ଆସିଛି। ବିଶେଷକରି ଯୁବକମାନେ ଏହାର ଶିକାର ହେଉଛନ୍ତି। ଲକ୍ଷ୍ନୌ କେଜିଏମୟୁ ହସ୍ପିଟାଲର ବୟସ୍କ ମାନସିକ ରୋଗ ବିଭାଗକୁ ପ୍ରତିଦିନ ପ୍ରାୟ ୫୦ ଜଣ ଯୁବକ ଆସୁଥିବା ଘଟଣାରୁ ମୋବାଇଲ ଫୋନର ଖରାପ ଦିଗ ପ୍ରତି ଧ୍ୟାନ ଆକର୍ଷିତ କରାଯାଇଛି।

ଯେଉଁମାନେ ଏଠାକୁ ଆସିଥାନ୍ତି ସେମାନଙ୍କ ଭିତରୁ ଅଧାଅଧି ରୋଗୀଙ୍କ ସମସ୍ୟା ହେଉଛି ଟେକ୍ନୋଲୋଜି ବା ଇଣ୍ଟର୍‌ନେଟର ବ୍ୟାପକ ବ୍ୟବହାର। ଏଠାକାର ମାନସିକ ରୋଗ ବିଭାଗର ମୁଖ୍ୟ ଡାକ୍ତର ବିବେକ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଇଣ୍ଟର୍‌ନେଟର ବିପୁଳ ବ୍ୟବହାର ଯୁବକଙ୍କ ମାନସିକ ଅବସ୍ଥା ଉପରେ ଖରାପ ପ୍ରଭାବ ପକାଇବା ଆରମ୍ଭ କରିଛି। ଏହାଦ୍ୱାରା ଯୁବକଙ୍କ ଭିତରେ ଚିଡ଼ିଚିଡ଼ାପଣ, କ୍ରୋଧ, ଅନ୍ୟମନସ୍କ ରହିବା, ନିଜ ଉପରେ ନିୟନ୍ତ୍ରଣ ହରାଇବା, ଏକଲାପଣ ଓ ବିଚାର ଉପରେ ଅନିୟନ୍ତ୍ରଣ ଆଦି ସମସ୍ୟା ସୃଷ୍ଟି କରୁଛି।

ଡାକ୍ତର ଅଗ୍ରୱାଲଙ୍କ କହିବା କଥା ଯେ, “ସମଗ୍ର ଦେଶରେ ୧୬ ବର୍ଷ ବୟସ ପର୍ଯ୍ୟନ୍ତ ଶତକଡ଼ା ୧୩ ଭାଗ ପିଲା ମାନସିକ ଭାରସାମ୍ୟ ହରାଇ ରୋଗଗ୍ରସ୍ତ ହେଉଛନ୍ତି। ତାଙ୍କ କ୍ଲିନିକକୁ ପ୍ରତିବର୍ଷ ୮ ହଜାର ମାନସିକ ରୋଗୀ ଆସିଥାନ୍ତି।“ ଏମାନଙ୍କ ମଧ୍ୟରୁ ଅଧାଅଧି ନୂଆ ରୋଗୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଏଥିପାଇଁ ଯୁବକମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ମଧ୍ୟ ବଢ଼ୁଛି।“ ଗୋଟିଏ ପଟେ ପାଠପଢା ଓ ଚାକିରିର ଚାପ, ଯୌନ ଓ ଶାରୀରିକ ଶୋଷଣ, ନିଶା ଓ ପାରିବାରିକ ପରିସ୍ଥିତି ଯୁବକମାନଙ୍କୁ ଆତ୍ମହତ୍ୟା ଆଡ଼କୁ ଠେଲି ଦେଉଥିବା ବେଳେ ଅପର ପକ୍ଷରେ ଅନିୟନ୍ତ୍ରିତ ମୋବାଇଲର ବ୍ୟବହାର କଥା ମଧ୍ୟ ସେ କହିଛନ୍ତି। ଠିକ୍ ସେହିଭଳି ଜଲ୍‌ଦି ସଫଳତା ପାଇବାର ବ୍ୟଗ୍ରତା ମଧ୍ୟ ଆତ୍ମହତ୍ୟାର ଏକ ବଡ଼ କାରଣ ବୋଲି ତାଙ୍କ ମତ।

ସେହି କେଜିଏମୟୁ ହସ୍ପିଟାଲର ଆଉ ଜଣେ ମାନସିକ ରୋଗ ଚିକିତ୍ସକ ଡାକ୍ତର ଭୁପେନ୍ଦ୍ରଙ୍କ କହିବା ଅନୁଯାୟୀ, “ଦେଶରେ ପ୍ରତି ୪ ଜଣରେ ଜଣେ ମାନସିକ ରୋଗର ଶିକାର ହେଉଛନ୍ତି।“ ଏମାନଙ୍କ ପାଇଁ ଚିକିତ୍ସା ନିତାନ୍ତ ଆବଶ୍ୟକ। କିନ୍ତୁ ଏହି ରୋଗୀଙ୍କ ଭିତରୁ ୯୦ ପ୍ରତିଶତ ରୋଗୀ ରୋଗ ଥିବା କଥା ଆଦୌ ମାନନ୍ତି ନାହିଁ। ଫଳରେ ଧୀରେ ଧୀରେ ଅବସ୍ଥା ଖରାପ ଆଡ଼କୁ ଗତି କରିଥାଏ ଓ ଶେଷରେ ଚିକିତ୍ସା ବି ମୁସ୍କିଲ ହୋଇଯାଇଥାଏ।

ଡାକ୍ତର ଅଗ୍ରୱାଲ କହିଛନ୍ତି ଯେ, “ଯେଉଁମାନେ ଚିକିତ୍ସା ପାଇଁ ବିଳମ୍ବିତ ଅବସ୍ଥାରେ ଆସୁଛନ୍ତି ସେମାନଙ୍କ ସକାଶେ ଔଷଧ ସେବନ ନିତାନ୍ତ ଜରୁରୀ। କିନ୍ତୁ ୧୦ ପ୍ରତିଶତ ରୋଗୀଙ୍କୁ କାଉନସେଲିଂ ଦ୍ୱାରା ବି ଭଲ କରାଯାଇପାରେ।

ବିଶେଷଜ୍ଞଙ୍କ ମତରେ, “ମାନସିକ ରୋଗଠାରୁ ଦୂରରେ ରହିବାର ଏକ ମାତ୍ର ବାଟ ହେଉଛି ଭରଚୁଆଲ ଦୁନିଆରୁ ଦୂରରେ ରହିବା।“ ନିଜ ପରିବାରର ସଦସ୍ୟଙ୍କ ସହ ଅଧିକ ସମୟ କାଟିବା ମଧ୍ୟ ଜରୁରୀ। ତା’ଛଡ଼ା ସମସ୍ୟା/ଅସୁବିଧା ଗୁଡ଼ିକୁ ଜୀବନର ଏକ ଅଂଶ ବୋଲି ଯୁବକ ମାନେ ଧରିନେବା ଉଚିତ।

Comment