ଓଡ଼ିଶାଲାଇଭ୍ ବ୍ୟୁରୋ
ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ପଶ୍ଚିମବଙ୍ଗ ମୁହାଁଇଛି ବାତ୍ୟା ତିତ୍ଲି। ଏହାର ପ୍ରଭାବରେ ଓଡ଼ିଶାରେ ବନ୍ୟା ଆଶଙ୍କା ଦେଖାଦେଇଛି।
ପଶ୍ଚିମବଙ୍ଗ ଅଭିମୁଖେ ମୁହାଁଇଛି ବାତ୍ୟା ‘ତିତ୍ଲି’। ଧିରେ ଧିରେ ଦୁର୍ବଳ ହେଉଛି ଏହି ସାମୁଦ୍ରିକ ଝଡ଼। ଆଜି ମଧ୍ୟରାତି ସୁଦ୍ଧା ପୂରା ଦୁର୍ବଳ ହେବାର ସମ୍ଭାବନା ରହିଛି। ଓଡ଼ିଶା ଉପରୁ ବାତ୍ୟା ବିପଦ ଟଳିଥିବା ବେଳେ ଏବେ ବନ୍ୟା ଆଶଙ୍କା ଦେଖାଦେଇଛି।
ତିତ୍ଲି ପ୍ରଭାବରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀରେ ଜଳ ସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ଜିଲ୍ଲା ବସ୍ତାରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆସିକାରେ ଋଷିକୂଲ୍ୟା ନଦୀ ବିପଦସଙ୍କେତ ଉପରେ ରହିଛି।
ଗଜପତି ଜିଲ୍ଲା ମୋହନାର ରାମନଦୀ ପୋଲ ଉପରେ ୧୨ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ପାରଳାଖେମୁଣ୍ଡିକୁ ଯାତାୟତ ଠପ୍ ହୋଇଯାଇଛି। ଏହାସହ ଆଗାମୀ ୨୪ ଘଣ୍ଟା ଭିତରେ ଓଡ଼ିଶାରେ ବର୍ଷା ଆଶଙ୍କା ଥିବାରୁ ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ଉପୁଜିଛି।
ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବାରୁ ବଂଶଧାରା ନଦୀ ମଧ୍ୟ ଫୁଲିଛି। ମୋହନା ବ୍ଲକରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗୁଣପୁରରେ ବଂଶଧାରା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୮୩ ମିଟର ଥିବା ବେଳେ ୮୩.୪ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।
ଭଞ୍ଜନଗରରେ ଅଡ଼ଙ୍ଗି ନଦୀରେ ବନ୍ୟା ପାଣି ଆସିବାରୁ ୬ ଜଣ ଭାସି ଯାଇଛନ୍ତି। ଗୋଟିଏ ପରିବାରର ୪ ଜଣ ଏବଂ ଅନ୍ୟ ପରିବାରର ୨ ଜଣ ନଦୀରେ ଭାସି ଯାଇଛନ୍ତି। ଏଯାଏଁ ସେମାନଙ୍କର ପତ୍ତା ମିଳୁନି। ଗଞ୍ଜାମ ଜିଲ୍ଲା ସୋରଡ଼ାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
“ଋଷିକୂଲ୍ୟା ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ବନ୍ୟା ପରିସ୍ଥିତି ଦେଖାଦେଇଛି। ନଦୀ କୂଳିଆ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସମ୍ଭାବ୍ୟ ବନ୍ୟା ଉପରେ କଡ଼ା ନଜର ରଖାଯାଇଛି”, କହିଛନ୍ତି ଏସ୍ଆର୍ସି ବିଷ୍ଣୁପଦ ସେଠୀ।


















