ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜସ୍ଥାନରେ ଯୁବ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବାଜିଛି ବିଗୁଲ୍। ଡିସେମ୍ବର ୭ରେ ଏହି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ବିଜେପି ରାଜସ୍ଥାନକୁ ପୁଣି କବ୍‌ଜା କରିବା ପାଇଁ ଗୋଟି ଚାଳନା କରୁଥିବା ବେଳେ କଂଗ୍ରେସ ପଛରେ ପଡ଼ିନି। ଯୁବ କଂଗ୍ରେସ କର୍ମୀମାନଙ୍କୁ ନେଇ ରାଜସ୍ଥାନର ରାଜଧାନୀ ଜୟପୁରଠାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶକ୍ତି ପ୍ରଦର୍ଶନ କରିଛନ୍ତି। ଅକ୍ଟୋବର ୯ ଏବଂ ୧୦ ତାରିଖରେ ଜୟପୁରଠାରେ ଆୟୋଜିତ ଯୁବ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀର ଉଦଯାପନୀ ଉତ୍ସବରେ ରାହୁଲ ଯୋଗ ଦେଇ ଗୁରୁମନ୍ତ୍ର ଦେଇଛନ୍ତି।

କେନ୍ଦ୍ରର ବିଜେପି ସରକାରର ଦୁର୍ନୀତି ଏବଂ ବିଫଳତାକୁ ଅସ୍ତ୍ର କରି ଲୋକଙ୍କ ପାଖକୁ ଯିବା ପାଇଁ ରାହୁଲ ଆହ୍ୱାନ ଦେଇଛନ୍ତି। ବିଶେଷକରି ରାଫେଲ୍ ଦୁର୍ନୀତିକୁ ଗାଁ ଗାଁରେ ପହଞ୍ଚାଇବାକୁ ରାହୁଲ କହିଛନ୍ତି।

ଦୁଇ ଦିନ ଧରି ଚାଲିଥିବା ଯୁବ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀରେ ବିଭିନ୍ନ ରାଜ୍ୟର ଯୁବ କଂଗ୍ରେସ ସଭାପତି ଏବଂ ଭାରତୀୟ ଯୁବ କଂଗ୍ରେସର ସଦସ୍ୟମାନେ ଯୋଗ ଦେଇଥିଲେ। ଓଡ଼ିଶାରୁ ଅଖିଳ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରିୟ ସମ୍ପାଦକ ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା ଯୋଗ ଦେଇଥିଲେ। ସ୍ମୃତିରଞ୍ଜନ ଏବେ ଆସାମ ଏବଂ ତ୍ରିପୁରା ଯୁବ କଂଗ୍ରେସର ପ୍ରଭାରୀ ଅଛନ୍ତି। ଏହାସହ ଓଡ଼ିଶା ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ମଧ୍ୟ ଏହି କାର୍ଯ୍ୟକାରିଣୀରେ ସାମିଲ ହୋଇଥିଲେ।

“କେନ୍ଦ୍ର ସରକାରଙ୍କର ରାଫେଲ ଦୁର୍ନୀତିକୁ ଅସ୍ତ୍ର କର। ଗାଁ ଗାଁରେ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ଅବଗତ କର। ଯୁବକମାନଙ୍କୁ ମୋଦି ପ୍ରତାରିତ କରିଛନ୍ତି। ୨୦୧୪ରେ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରି ନାହାନ୍ତି। ଏ ବିଷୟରେ ଯୁବକମାନଙ୍କୁ ସଚେତନ କର”, ଯୁବ କଂଗ୍ରେସ କର୍ମୀମାନଙ୍କୁ ଏହା କହିଥିଲେ ରାହୁଲ।

ସ୍ମୃତି ରଞ୍ଜନ ଲେଙ୍କା କହିଛନ୍ତି, “ଦେଶର ଅଖଣ୍ଡତା ଏବଂ ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି ହୋଇଛି। ମୋଦି ସରକାର ଯୁବକ, ଚାଷୀ ଏବଂ ସାଧାରଣ ଲୋକଙ୍କୁ ପ୍ରତାରିତ କରିଛନ୍ତି। ସେ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରି ନାହାନ୍ତି। ମୋଦି ସରକାରଙ୍କର ଦୁର୍ନୀତି ବିଷୟରେ ସାରା ଦେଶର ଯୁବ ଭୋଟରମାନଙ୍କୁ ଅବଗତ କରାଯିବ। ରାହୁଲ ଗାନ୍ଧି ଯେଉଁ ମନ୍ତ୍ର ଦେଇଛନ୍ତି ତାହା କାର୍ଯ୍ୟକାରୀ କରାଯିବ।”

୨୦୧୯ରେ ହେବ ସାଧାରଣ ନିର୍ବାଚନ। ଏହା ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ କଂଗ୍ରେସ ପାଇଁ ବହୁ ଗୁରୁତ୍ୱ ବହନ କରୁଛି। ଏସବୁ ରାଜ୍ୟରେ କଂଗ୍ରେସକୁ କ୍ଷମତାକୁ ଆଣିବା ପାଇଁ ରାହୁଲ ଗୁରୁ୍ତ୍ୱ ଦେଉଛନ୍ତି। ଏହି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଯୁବ କଂଗ୍ରେସର ଜାତୀୟ କାର୍ଯ୍ୟକାରିଣୀ ଯୁବ କର୍ମୀଙ୍କୁ ପ୍ରଚାର ପ୍ରସାର ପାଇଁ ଅଧିକ ଉତ୍ସାହିତ କରିଛି।

LEAVE A REPLY

Please enter your comment!
Please enter your name here