ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ୟା ପ୍ରଭାବିତ ଗଞ୍ଜାମ ଜିଲ୍ଲାରେ ଆକାଶ ମାର୍ଗରୁ ପଡ଼ିବ ଖାଦ୍ୟ ପୁଡ଼ିଆ। ଏଥିପାଇଁ ରଙ୍ଗେଇଲୁଣ୍ଡାରେ ପହଞ୍ଚିଛି ଦୁଇଟି ହେଲିକପ୍ଟର।

ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷାରେ ୩ ଜିଲ୍ଲାରେ ପରିସ୍ଥିତି ବିଗିଡ଼ି ଯାଇଛି। ବିଶେଷକରି ଗଞ୍ଜାମ ଜିଲ୍ଲାରେ ବନ୍ୟା ବ୍ୟାପକ କ୍ଷୟକ୍ଷତି କରିଛି। ଜିଲ୍ଲାରେ ଚାରିଟି ବ୍ଲକରେ ଲୋକେ ପାଣିଘେରରେ ରହିଛନ୍ତି। ପାଣିଘେରରେ ରହିଥିବା ଲୋକଙ୍କ ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚି ପାରୁନି।

ଜଳବନ୍ଦୀ ଲୋକଙ୍କ ପାଖରେ ରିଲିଫ ପହଞ୍ଚାଇବା ପାଇଁ ସରକାର ହେଲିକପ୍ଟରର ସହାୟତା ନେଇଛନ୍ତି। ଆସନ୍ତାକାଲି ବନ୍ୟା ପ୍ରଭାବିତ ଅଞ୍ଚଳ ଗଞ୍ଜାମ ଜିଲ୍ଲାର ପୁରୁଷତ୍ତମପୁର ଏବଂ ଛତ୍ରପୁରରେ ହେଲିକପ୍ଟରରୁ ଖାଦ୍ୟ ପୁଡ଼ିଆ ପକାଇବ ପ୍ରଶାସନ। ଏଥିପାଇଁ ବିଶାଖାପାଟଣାରୁ ଦୁଇଟି ହେଲିକପ୍ଟର ଗୋପାଳପୁରର ରଙ୍ଗେଇଲୁଣ୍ଡାରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ଯିବା ଲାଗି ପ୍ରସ୍ତୁତ ହୋଇଛନ୍ତି। ସେ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ବନ୍ୟା ପରିସ୍ଥିତି ଆକାଶମାର୍ଗରୁ ଅନୁଧ୍ୟାନ କରିବେ।

ସଚିବାଳୟରେ ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଜିଲ୍ଲପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ବନ୍ୟା ମୁକାବିଲା ପାଇଁ ନିର୍ଦ୍ଦେ ଶ ଦେଇଥିଲେ। ପାଣିଘେରରେ ଥିବା ଲୋକଙ୍କୁ ଉଦ୍ଧାର ଏବଂ ସେମାନଙ୍କ ପାଖରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବା ପାଇଁ ଆଦେଶ ଦେଇଥିଲେ।

ଏହି ଆଲୋଚନା ବେଳେ ଗଞ୍ଜାମ ଜିଲ୍ଲାପାଳ କହିଥିଲେ ଯେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ଅସୁବିଧା ହେଉଛି। ରିଲିଫ ଦେବା ପାଇଁ ହେଲିକପ୍ଟର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ। ରିଲିଫ୍ ସାମଗ୍ରୀ ଦେବା ପାଇଁ ଦୁଇଟି ହେଲିକପ୍ଟର ବିଶାଖାପାଟଣାରୁ ଆସୁଥିବା ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଥିଲେ। ଆଜି ରାତିରେ ଦୁଇଟି ହେଲିକପ୍ଟର ରଙ୍ଗେଇଲୁଣ୍ଡାରେ ଆସି ପହଞ୍ଚିଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here