ଓଡ଼ିଶାଲାଇଭ୍ ବ୍ୟୁରୋ

କେବିସିରେ ନଜର ଆସିଲେ ନବୀନ ପଟ୍ଟନାୟକ। ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ।

“ହକି କେବଳ ଓଡ଼ିଶାର ନୁହେଁ, ସାରା ଦେଶର ଲୋକପ୍ରିୟ ଖେଳ। ହକିକୁ ଓଡ଼ିଶାବାସୀ ବହୁତ ଭଲ ପାଇଥାନ୍ତି। ହକି ହେଉଛି ଓଡ଼ିଶାର ପ୍ରାଣ, ଗୌରବ ଓ ସମ୍ମାନ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୋନି ଟିଭିରେ ପ୍ରସାରିତ ହେଉଥିବା ବହୁ ଲୋକପ୍ରିୟ ରିଆଲିଟି ସୋ’ କୌନ୍‌ ବନେଗା କରୋଡପତି’ (କେବିସି)ରେ ଆସିଥିଲେ ନବୀନ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ର ପ୍ରସ୍ତୁତି ସମ୍ପର୍କରେ କହିଥିଲେ ନବୀନ। ଏହାସହ ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା ଜଣାଇଥିଲେ ସେ।

ବିଗ୍ ବି ଅମିତାଭ ବଚ୍ଚନ ହକି ବିଷୟରେ ପ୍ରଶ୍ନ କରିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବୀନ ସବୁ ପ୍ରଶ୍ନର ଉତ୍ତର ରଖିଥିଲେ। ଭାରତୀୟ ହକି ତାରକା ମଧ୍ୟ ଏହି ସୋ’ରେ ସାମିଲ ହୋଇଥିଲେ।

କେବିସିରେ ନବୀନ

ବିଶ୍ୱ ଦରବାରରେ ହକିର ପ୍ରଚାର ଏବଂ ପ୍ରସାର ନିମନ୍ତେ ବଲିଉଡର ମେଗାଷ୍ଟାର୍ ବିଗ୍ ବି ତଥା ଅମିତାଭ ବଚ୍ଚନ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବିସି ମାଧ୍ୟମରେ ଆଗେଇ ଆସିଛନ୍ତି।

ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋ’ରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କ ସମେତ ହକି ତାରକା ଏବଂ ଅମିତାଭଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଏବଂ ଅମିତାଭଙ୍କ ମଧ୍ୟରେ ହକିକୁ ନେଇ ଆଲୋଚନା ଚାଲିଥିଲା।

ହକି ଓଡ଼ିଶାର ପ୍ରାଣ

ହକି ହେଉଛି ଓଡ଼ିଶାର ଏକ ଲୋକପ୍ରିୟ ଖେଳ। ଏହି ଖେଳକୁ ଆଗକୁ ନେବା ସହ ଆହୁରି ଲୋକପ୍ରିୟ କରିବା ପାଇଁ ବିଶ୍ୱକପ ଭଳି ବଡ଼ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି।

ନବୀନ କହିଛନ୍ତି, “ଓଡ଼ିଶାର ଆଦିବାସୀ ଅଞ୍ଚଳର ପିଲାମାନେ ଯେବେଠାରୁ ଚାଲିବା ଶିଖନ୍ତି, ସେବେଠାରୁ ହିଁ ହକି ଖେଳିଥାନ୍ତି। ହକିକୁ ଓଡ଼ିଶାବାସୀ ମନଭରି ଭଲ ପାଇଥାନ୍ତି। ହକିର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଆଗକୁ ମଧ୍ୟ ଆହୁରି ପଦକ୍ଷେପ ନିଆଯିବ।”

ହକି ଖେଳୁଥିଲେ ନବୀନ

ରିଆଲିଟି ସୋ’ରେ ବିଗ୍‌ ବି ନବୀନଙ୍କୁ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନଟି ଥିଲା – ଆପଣଙ୍କର କେଉଁ ଖେଳ ପ୍ରତି ରୁଚି ଥିଲା?

ଏହି ପ୍ରଶ୍ନର ଉତ୍ତର ମଧ୍ୟ ନବୀନ ଦେଇଥିଲେ। ନବୀନଙ୍କ ଉତ୍ତର ଶୁଣି କେବିସିରେ ସାମିଲ ହୋଇଥିବା ଭାରତୀୟ ହକି ଟିମ୍‌ର ସଦସ୍ୟମାନେ କରତାଳି ଦେଇଥିଲେ।

“ମୁଁ ସ୍କୁଲରେ ପଢ଼ିବା ସମୟରେ ସବୁ ଖେଳ ପ୍ରତି ରୁଚି ରଖୁଥିଲି। ଏହାଛଡ଼ା ଅନେକ ଖେଳରେ ମଧ୍ୟ ଭାଗ ନେଉଥିଲି। ଏପରିକି ମୁଁ ହକି ମଧ୍ୟ ଖେଳୁଥିଲି। ସବୁ ଖେଳାଳିମାନଙ୍କ ମଧ୍ୟରେ ମୁଁ ସବୁଠାରୁ ଡେଙ୍ଗା ଥିବାରୁ ମୁଁ ଗୋଲ୍‌କିପର ରହୁଥିଲି”, କହିଛନ୍ତି ନବୀନ।

ନବୀନଙ୍କର ଏହି ଉତ୍ତର ଶୁଣିବା ପରେ ଭାରତୀୟ ଅଧିନାୟକ ଏସ୍ ଶ୍ରୀଜେଶ ନିଜର ଖୁସି ଜାହିର କରିଥିଲେ।

ନବୀନ ବଖାଣିଲେ ୧୯୯୯ ମହାବାତ୍ୟାର କାହାଣୀ

ବିଗ୍‌ ବି ଅମିତାଭ ବଚ୍ଚନ ନବୀନଙ୍କୁ ରାଜନୀତି ସମ୍ପର୍କରେ ପ୍ରଶ୍ନ କରିଥିଲେ। ପ୍ରଶ୍ନଟି ଥିଲା – ଲମ୍ବା ସମୟ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିବାର ରହସ୍ୟ କ’ଣ?

ଏହି ପ୍ରଶ୍ନର ଉତ୍ତର ଦେଇ ନବୀନ ୧୯୯୯ ମହାବାତ୍ୟା କାହାଣୀ ବର୍ଣ୍ଣନା କରିଥିଲେ।

“ଲୋକଙ୍କ ପାଇଁ କରିଥିବା ବିକାଶମୂଳକ କାର୍ଯ୍ୟ ମତେ ଏହି ସଫଳତା ଦେଇଛି”, କହିଥିଲେ ନବୀନ ପଟ୍ଟନାୟକ।

“୧୯୯୯ମସିହା ମହାବାତ୍ୟା ପରେ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲି। ଏହି ମହାବାତ୍ୟାରେ ପ୍ରାୟ ୧୦ହଜାର ଲୋକଙ୍କର ଜୀବନ ହାନି ଘଟିଥିଲା ଓ ରାଜ୍ୟର ବିପୁଳ କ୍ଷୟ କ୍ଷତି ହୋଇଥିଲା। ତେଣୁ ନୂଆ କରି ଆସିଥିବା ଆମ ସରକାର ବିପର୍ଯ୍ୟୟ ମୁକାବିଲା ନେଇ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଥିଲେ। ଯାହାଫଳରେ ପରବର୍ତ୍ତୀ ସମୟରେ ହୋଇଥିବା ବାତ୍ୟାର ସଫଳ ମୁକାବିଲା କରୁଛନ୍ତି ଆମ ସରକାର।”

ଭାରତୀୟ ହକି ଟିମ୍‌କୁ ଶୁଭେଚ୍ଛା

ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଥିଲେ। ହୋମଗ୍ରାଉଣ୍ଡରେ ଭାରତୀୟ ହକି ଦଳ ବିଜୟୀ ହେଉ ବୋଲି କହିଥିଲେ ନବୀନ। କେବିସିର ଏହି ଏପିସୋଡ୍‌ରେ ହକି ତାରକାମାନେ ଖେଳିବା ସହ ୧୨ଲକ୍ଷ ୫୦ହଜାର ଟଙ୍କା ଜିତିଥିଲେ। ଏହାଛଡ଼ା ବିଶ୍ୱକପ ଦେଖିବା ପାଇଁ ବିଗ୍ ବିଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଆଗାମୀ ନଭେମ୍ବର ୨୮ରୁ ଡିସେମ୍ବର ୧୬ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱ କପ୍ ୨୦୧୮। ଯାହାର କ୍ରେଜ ଏବେ ସବୁଠି ଦେଖାଦେଉଛି।

LEAVE A REPLY

Please enter your comment!
Please enter your name here