ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୪ ଜଣିଆ ପରିବାର ପାଇଁ ୩ ହଜାର ଟଙ୍କାର ରିଲିଫ୍
  • ବୟସ୍କମାନଙ୍କ ପାଇଁ ଦୈନିକ ୬୦ ଟଙ୍କା
  • ଛୋଟପିଲାଙ୍କୁ ଦୈନିକ ୪୫ ଟଙ୍କାର ରିଲିଫ୍ ଘୋଷଣା
  • ୪୮ ଘଣ୍ଟା ଭିତରେ ବିଦ୍ୟୁତ ସଂଯୋଗ ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ
  • ରବିବାର ସୁଦ୍ଧା ନଳକୂପ ମରାମତି କରିବାକୁ ନିର୍ଦ୍ଦେଶ

ତିତ୍‌ଲି ପ୍ରଭାବରେ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୫ ଦିନ ପାଇଁ ରିଲିଫ୍ ଘୋଷଣା କରିଛନ୍ତି। ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ଗୁଣପୁର ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ଘୋଷଣା କରିଛନ୍ତି।

୪ ଜଣିଆ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ୩ ହଜାର ଟଙ୍କାର ରିଲିଫ ଘୋଷଣା କରିଛନ୍ତି। ବୟସ୍କମାନଙ୍କ ପାଇଁ ଦୈନିକ ୬୦ ଟଙ୍କା ଏବଂ ଛୋଟ ପିଲାଙ୍କ ପାଇଁ ୪୫ ଟଙ୍କାର ରିଲିଫ ଘୋଷଣା କରାଯାଇଛି।

ଆସନ୍ତା କାଲି ମଧ୍ୟରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ଲାଗି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରାୟ ୮୦ ପ୍ରତିଶତ ଅଞ୍ଚଳରେ ବିଦ୍ୟୁତ ସଂଯୋଗ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ବାକି ୧୦ ପ୍ରତିଶତ ଅଞ୍ଚଳରେ ୪୮ ଘଣ୍ଟା ଭିତରେ ବିଦ୍ୟୁତ ସଂଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆସନ୍ତାକାଲିଠାରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ରବିବାର ସୁଦ୍ଧା ନଳକୂପ ମରାମତି କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି।

ଜିରୋ କାଜୁଆଲିଟି ପାଳନରେ ରାଜ୍ୟ ସରକାର ଫେଲ୍ ବୋଲି ବିଜେପି ଅଭିଯୋଗ ଆଣୁଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଜବାବ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ସେମାନେ ଯେତେ ଅଭିଯୋଗ କରିବା କଥା କରନ୍ତୁ। ଆମେ ଆମର କାମ କରୁଛୁ। ବନ୍ୟାଞ୍ଚଳରେ ସ୍ଥିତି ସୁଧାରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି।”

ଆଜି ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାର ସ୍ଥିତି ଆକାଶମାର୍ଗରୁ ଅନୁଧ୍ୟାନ କରିଥିଲେ। ସ୍ଥିତି ଅନୁଧ୍ୟାନ ସାରି ଭୁବନେଶ୍ୱର ଫେରିବା ପରେ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରିଛନ୍ତି।

Comment