ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅକ୍ଟୋବର ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳନ କରିବେନି ଜନ୍ମଦିନ।

ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଛି। ଗାଁରୁ ବନ୍ୟାପାଣି ଛାଡ଼ି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁର୍ଦ୍ଦଶା କମିନି। ଏଣୁ ଏଥିପାଇଁ ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଗଣମାଧ୍ୟମରେ କହିଛନ୍ତି।

“ସାରା ରାଜ୍ୟରେ ବାତ୍ୟା ତିତ୍‌ଲି ବ୍ୟାପକ କ୍ଷତି କରିଛି। ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଣୁ ଏଥିପାଇଁ ମୁଁ ଆସନ୍ତା କାଲି ଜନ୍ମଦିନ ପାଳନ କରିବି ନାହିଁ”, କହିଛନ୍ତି ନବୀନ ପଟ୍ଟନାୟକ।

୨୦୧୩ ଏବଂ ୨୦୧୪ରେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳନ କରି ନଥିଲେ। ୨୦୧୩ରେ ବାତ୍ୟା ଫାଇଲିନ୍ ଏବଂ ୨୦୧୪ରେ ହୁଡ୍‌ହୁଡ୍ ପାଇଁ ନବୀନ ଜନ୍ମଦିନ ପାଳନ କରି ନଥିଲେ।

ବାତ୍ୟା ତିତ୍‌ଲି ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିଥିଲା। ଏହାର ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷତି ହୋଇଥିଲା। ଏହାପରେ ହୋଇଥିବା ଲଗାଣ ବର୍ଷାରେ ଗଞ୍ଜାମ, ରାୟଗଡ଼ା ଏବଂ ଗଜପତି ଜିଲ୍ଲା ବେହାଲ ହୋଇଯାଇଥିଲା। ଋଷିକୂଲ୍ୟା ଏବଂ ବଂଶଧାରା ନଦୀରେ ବନ୍ୟା ଆସିବାରୁ ଅଧିକାଂଶ ଗାଁ ଜଳମଗ୍ନ ହୋଇଥିଲା। ଚାଷଜମିରେ ପାଣି ମାଡ଼ି ଯାଇଥିଲା।

ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ଗଞ୍ଜାମରେ ଆକାଶମାର୍ଗରୁ ରିଲିଫ୍ ପକାଇଥିଲା ପ୍ରଶାସନ। ଏହାସହ ମୁଖ୍ୟମନ୍ତ୍ରୀ ମଧ୍ୟ ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲା ଗସ୍ତ କରି ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଭାବିତ ଅଞ୍ଚଳ ପାଇଁ ୧୫ ଦିନର ରିଲିଫ୍ ଘୋଷଣା କରିଥିଲେ ନବୀନ।

Comment