ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଆନନ୍ଦ ବଜାରରେ ଆନନ୍ଦରେ ଅବଢ଼ା ଖାଇବେ ଶ୍ରଦ୍ଧାଳୁ!

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସାବାଡ଼ ହୋଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ। ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ନିର୍ଦ୍ଦେଶକୁ ଶ୍ରୀମନ୍ଦିରରେ କାର୍ଯ୍ୟକାରୀ କରିବା ପାଇଁ ତତ୍ପର ହୋଇଛନ୍ତି ଉଭୟ ପ୍ରଶାସନ ଏବଂ ସେବାୟତ।

ଏନେଇ ମଙ୍ଗଳବାର ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା ବୈଠକ। ଶ୍ରୀମନ୍ଦିର ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ସୁଆର ମହାସୁଆର ନିଯୋଗ ସମିତି। ଅବଢ଼ାର ନୂଆ ଦର ଖୁବଶୀଘ୍ର ନିର୍ଦ୍ଧାରଣ କରି ଆନନ୍ଦ ବଜାରରେ ତାଲିକା ଲଗାଇବାକୁ ହୋଇଛି ନିଷ୍ପତ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, “ଅବଢ଼ାର ନୂଆ ଦର ଖୁବଶୀଘ୍ର ନିର୍ଦ୍ଧାରଣ କରାଯିବ। ଆନନ୍ଦ ବଜାରରେ ଭକ୍ତଙ୍କ ଜାଣିବା ପାଇଁ ରେଟ୍ ଚାଟ୍ ଲାଗିବ। ଏହାସହ ଭକ୍ତଙ୍କ ସୁବିଧା ଅସୁବିଧା ଜାଣିବା ପାଇଁ ହେଲ୍ପ ଡେସ୍କ ରହିବ।”

ବୈଠକରେ କୋଠଭୋଗ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା। କୋଠ ଭୋଗ ନିମନ୍ତେ ଆବଶ୍ୟକ ଖର୍ଚ୍ଚର ଆକଳନ କରି ଦର ତାଲିକା ନିର୍ଦ୍ଧାରଣ ହେବ। କୋଠ ଭୋଗ ରନ୍ଧା ସମୟରେ ଦେଉଳକରଣ ଓ ଶ୍ରୀମନ୍ଦିର ସୁପରଭାଇଜର ଏହାର ଅନୁଧ୍ୟାନ କରିବେ। ଏହା ବ୍ୟତୀତ ଆନନ୍ଦବଜାରରେ ଅଧିକୃତ ଅଣସେବାୟତଙ୍କ ପ୍ରବେଶକୁ ବି ନିଷେଧ କରାଯାଇଛି।

ଶ୍ରୀମନ୍ଦିରରେ ଭକ୍ତଙ୍କୁ କିଭଳି ଉଚିତ୍ ମୂଲ୍ୟରେ ମହାପ୍ରସାଦ ମିଳିପାରିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା।

Comment