ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଣାର୍କ ଗଣଦୁଷ୍କର୍ମ ମାମଲାକୁ ୪୮ ଘଣ୍ଟା ପୂରିଲାଣି। ହେଲେ ଘଟଣା ଉପରୁ ପରଦା ହଟାଇ ପାରିଲାନି ପୋଲିସ। ପ୍ରକୃତରେ ଗଣଦୁଷ୍କର୍ମ ହୋଇଛି ନା ଏଠି ଦେହ ବେପାର ଚାଲିଥିଲା ତାକୁ ନେଇ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଛି। ପୋଲିସ ଯୁବତୀ ଚାଲାଣ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ମେଡିକାଲ ରିପୋର୍ଟକୁ ଅପେକ୍ଷା କରିଛି।

ଏପଟେ ବିଜେପି ଏବଂ କଂଗ୍ରେସର ମହିଳା ମୋର୍ଚ୍ଚା ଗୋପ ମେଡିକାଲରେ ପୀଡ଼ିତାଙ୍କୁ ଭେଟିଛନ୍ତି। ଏହାସହ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମହିଳା ମୋର୍ଚ୍ଚା ଦାବି କରିଛି। ଏନେଇ ଏସ୍‌ଡିପିଓଙ୍କୁ ସ୍ମାରକପତ୍ର ଦେଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ।

ବିଜେପି ନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ କୋଣାର୍କ ଥାନା ଘେରାଉ କରାଯାଇଛି। ଏପଟେ ଚାପ ବଢ଼ିବାରୁ ଅଭିଯୁକ୍ତମାନଙ୍କୁ ୪୮ ଘଣ୍ଟା ଭିତରେ ଗିରଫ କରାଯିବ ବୋଲି ପୋଲିସ କହିଛି।

କୋଣାର୍କ ଥାନାଠାରୁ ମାତ୍ର ୫୦୦ ମିଟର ଦୂରରେ ଜଣେ ବଙ୍ଗୀୟ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏକ ପରିତ୍ୟକ୍ତ ଘରେ ଏହି କାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଯୁବତୀଙ୍କୁ ବନ୍ଦ ଘରୁ ବୁଧବାର ଦିନ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରି ଗୋପ ମେଡିକାଲରେ ଭର୍ତ୍ତି କରିଥିଲେ। ପୀଡ଼ିତାଙ୍କର ଡାକ୍ତରୀ ମାଇନା କରାଯାଇଛି।

ଗତ ୧୦ ଦିନ ହେଲା ସଂପୃକ୍ତ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟାଇବାରେ ସମର୍ଥ ହୋଇନି।

Comment