ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯାହା ଆଶା କରାଯାଉ ନଥିଲା ତାଠୁ ଅଧିକ କ୍ଷତି କରି ଚାଲିଗଲା ତିତ୍‌ଲି।

ତିତ୍‌ଲି ପ୍ରଭାବରେ ଓଡ଼ିଶାରେ ହୋଇଛି ବ୍ୟାପକ କ୍ଷତି। ୨୭୬୫ କୋଟି ଟଙ୍କାର କ୍ଷତି ହୋଇଥିବା କହିଛନ୍ତି ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ। କ୍ଷତି ଭରଣା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ସହାୟତା ମାଗିବେ। ଏନେଇ ଆଜି ରିପୋର୍ଟ ପଠାଯିବ।

“ଯାହା ଆକଳନ କରାଯାଇ ନଥିଲା ତାଠୁ ଅଧିକ କ୍ଷତି ହୋଇଛି। ୧୭ଟି ଜିଲ୍ଲାର ୧୨୮ ବ୍ଲକର ୮ ହଜାର ୧୨୫ ଗାଁ ପ୍ରଭାବିତ ହୋଇଛି। ଏଥିରେ ୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି”, କହିଛନ୍ତି ବିଷ୍ଣୁପଦ ସେଠୀ।

ତିତ୍‌ଲି ପ୍ରଭାବରେ ଚାଷଜମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୨.୬୩ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ଏସ୍‌ଆର୍‌ସି କହିଛନ୍ତି। ସେହିପରି ୫୬ ହଜାର ୯୩୦ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୫୭ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ୧୦ ଜଣ ନିଖୋଜ ଅଛନ୍ତି।

ବାଲେଶ୍ବର, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ପୁରୀ, ଅନୁଗୁଳ, ରାୟଗଡ଼ା ଜିଲ୍ଲାରେ ତିତ୍‌ଲି ପ୍ରଭାବ ପଡ଼ିଥିବା ଏସ୍‌ଆର୍‌ସି କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଗଜପତି ଜିଲ୍ଲାର ବାରଘର ଗ୍ରାମ ଗସ୍ତ କରିଥିଲେ। କ୍ଷତିଗ୍ରସ୍ତଙ୍କ ସହ କଥା ହୋଇଥିଲେ। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Comment