ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଜପତି ଜିଲ୍ଲାର କଇଁପୁର ଗାଁ ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ତୀର ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ତିତ୍‌ଲି ଓଡ଼ିଶା ଛାଡ଼ିବାର ୮ ଦିନ ହେଲାଣି। କିନ୍ତୁ ଏହାକୁ ନେଇ ରାଜନୀତି ଥମୁନି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିତ୍‌ଲି ପ୍ରଭାବିତଙ୍କୁ ଭେଟିଛନ୍ତି।

ଗଜପତି ଜିଲ୍ଲାର ସର୍ବାଧିକ କ୍ଷତିଗ୍ରସ୍ତ କଇଁପୁର ଗାଁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ଧର୍ମେନ୍ଦ୍ର। ଲୋକଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ଅସୁବିଧା ସୁବିଧା ପଚାରି ବୁଝିଛନ୍ତି। ଏହାସହ ରାଜ୍ୟ ସରକାରଙ୍କୁ ବି ତୀର ମାରିଛନ୍ତି ଧର୍ମେନ୍ଦ୍ର।

ରାଜ୍ୟ ସରକାର ତାଙ୍କ ଦାୟିତ୍ୱରୁ ଓହରି ଯାଉଛନ୍ତି କହି ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି।

“ତିତ୍‌ଲି ଯିବାର ୮ ଦିନ ପରେ ବି ସ୍ଥିତି ସୁଧୁରିନି। ଗଜପତି ଜିଲ୍ଲାର କଇଁପୁରରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଏବେ ବି ରାସ୍ତା ନାହିଁ। ଗାଁକୁ ବିଦ୍ୟୁତ୍ ସଂଯୋଗ ଏଯାଏଁ ହୋଇନି। ରାଜ୍ୟ ସରକାର ୯୫ ଭାଗ ଗାଁକୁ ବିଜୁଳି ସଂଯୋଗ କରିଥିବା କହୁଥିବା ବେଳେ ବାସ୍ତବ ଚିତ୍ର କ’ଣ ତାହା କଇଁପୁର ଗାଁରୁ ସ୍ପଷ୍ଟ ଜଣାପଡ଼ୁଛି”, କହିଛନ୍ତି ଧର୍ମେନ୍ଦ୍ର।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ରିଲିଫ୍ ବାଦବରେ ୯୦ ପ୍ରତିଶତ ଦେଉଛନ୍ତି। ରାଜ୍ୟ ସରକାର ଏସବୁ ଠିକ୍ ଭାବେ ଲୋକଙ୍କ ପାଖରେ ପହଞ୍ଚାଇବା କଥା। କିନ୍ତୁ ସରକାର ଦାୟିତ୍ୱରୁ ଓହରି ଯାଉଛନ୍ତି। ପ୍ରଶାସନ ଠିକ୍ ଭାବେ ତାର କାମ କରୁନି। ଏବେ ବି ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚିନି।

“ମୁଁ ଆଜି ବାତ୍ୟା ପ୍ରଭାବିତ କଇଁପୁର ଗାଁ ପରିଦର୍ଶନ କରିଛି। ଏଠାରେ ଯାହା ସ୍ଥିତି ଦେଖିଲି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିବି। ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଲେ କ୍ଷତିପୂରଣ ଦେବାର ବ୍ୟବସ୍ଥା କରାଯିବ”, କହିଛନ୍ତି ଧର୍ମେନ୍ଦ୍ର।

ଏପଟେ ରାଜ୍ୟ ସରକାର ଆଜି କ୍ଷୟକ୍ଷତି ଆକଳନ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ୧୭ଟି ଜିଲ୍ଲାରେ ତିତ୍‌ଲି ୨୭୬୫ କୋଟି ଟଙ୍କାର କ୍ଷତି କରିଛି ବୋଲି ଏସ୍‌ଆର୍‌ସି କହିଛନ୍ତି। କେନ୍ଦ୍ରକୁ ଖୁବଶୀଘ୍ର ରିପୋର୍ଟ ଦିଆଯିବ ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଜପତି ଜିଲ୍ଲାର ବାରଘର ପରିଦର୍ଶନ କରି ମୃତକଙ୍କ କରିବାରକୁ ୧୦ ଲକ୍ଷ ଟଙ୍କା, ବିଜୁ ପକ୍କା ଘର ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି।

କିନ୍ତୁ ରାଜ୍ୟ ସରକାରଙ୍କୁ ବାତ୍ୟା ଓ ବନ୍ୟା ପରିଚାଳନାକୁ ଆଜି ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ବାତ୍ୟା ଓ ବନ୍ୟା ସମ୍ପର୍କରେ ଗ୍ରାମବାସୀଙ୍କୁ ଆଗୁଆ ସୂଚନା ଦେଇ ନଥିଲେ। ଏଥିପାଇଁ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସରକାରଙ୍କ ଜିରୋ କାଜୁଆଲିଟି ଫେଲ୍ ମାରିଛି।

ଗଞ୍ଜାମ ଜିଲ୍ଲାର ଆସ୍କା, ମଙ୍ଗଳପୁର, ଜଗମୋହନ, ପଟୁ, ନନ୍ଦିଘର, ଜାହାଡା ଅଞ୍ଚଳ ମଧ୍ୟ ଧର୍ମେନ୍ଦ୍ର ପରିଦର୍ଶନ କରି ଲୋକଙ୍କ ସହ କଥା ହୋଇଛନ୍ତି।

Comment