ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲିନ ପରି ବାତ୍ୟା ତିତ୍‌ଲିକୁ ମୁକାବିଲା କରିବାକୁ ପ୍ରସ୍ତୁତ ହୋଇଥିଲେ ରାଜ୍ୟ ସରକାର। ଏଥିପାଇଁ ସବୁ ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ କରି ପ୍ରଭାବିତ ଅଞ୍ଚଳରେ ଡେରା ପକାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଉପକୂଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ପ୍ରଶାସନ। ହେଲେ ଏହା ପରେ ବି ସରକାର ସଫଳତା ପାଇ ନାହାନ୍ତି।

ତିତ୍‌ଲି ପାଇଁ ରାଜ୍ୟ ସରକାରଙ୍କ ଜିରୋ କାଜୁଆଲିଟି କିଛି କାମ ଦେଇ ନଥିବା ପରି ମନେହେଉଛି। ବାତ୍ୟା ଚାଲିଯିବାର ୧୫ ଦିନ ପରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଗତ ଦୁଇ ଦିନ ତଳେ ୬୭ ଥିବା ମୃତ୍ୟୁ ସଂଖ୍ୟା ଆଜି ୭୭ରେ ପହଞ୍ଚିଛି। ଆହୁରି ବଢ଼ିବାର ମଧ୍ୟ ସମ୍ଭାବନା ରହିଛି।

ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର କହିଛନ୍ତି, “ତିତ୍‌ଲି ବାତ୍ୟାରେ ୭୭ ଜଣଙ୍କର ପ୍ରାଣହାନି ଘଟିଛି। ୧୯ ଜଣଙ୍କର ମୃତଦେହ ଚିହ୍ନଟ କରାଯାଉଛି ଏବଂ ତାହା ତିତ୍‌ଲି ଜନିତ କି ନୁହେଁ ଯାଞ୍ଚ ଚାଲିଛି। ଖୁବ୍‌ଶୀଘ୍ର କେନ୍ଦ୍ରୀୟ ଟିମ୍ ପ୍ରଭାବିତ ଅଞ୍ଚଳ ଗସ୍ତରେ ଆସିବେ।”

ତିତ୍‌ଲି ପ୍ରଭାବରେ ୮୭ ହଜାର ୫୩୬ ଘର ଭାଙ୍ଗିଥିବା ବେଳେ ୩ ଲକ୍ଷ ୭୫ ହଜାର ୩୯୦ ହେକ୍ଟର ଚାଷଜମି ନଷ୍ଟ ହୋଇଛି। ଏହାସହ ୬୦.୧୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଶ୍ରୀ ମହାପାତ୍ର କହିଛନ୍ତି।

Comment