ଓଡ଼ିଶାଲାଇଭ୍ ବ୍ୟୁରୋ

spic_macay_yamini_2018 poster

ଅକ୍ଟୋବର ୨୭ରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ୫ ଜଣ ବିଶିଷ୍ଟ କଳାକାର ଭୁବନେଶ୍ୱରରେ ତାଙ୍କର ସଙ୍ଗୀତ ପରିବେଷଣ କରିବେ।

ଭାରତୀୟ କଳା ଓ ସଂସ୍କୃତି, ବିଶେଷକରି ବିଭିନ୍ନ ପର୍‌ଫର୍ମିଂ ଆର୍ଟ୍‌ସ ଧାରାକୁ ନୂଆ ପିଢ଼ି ସହିତ ଯୋଡ଼ିବା ପାଇଁ ଉଦ୍ୟମ କରିଆସୁଥିବା ‘ସ୍ପିକ୍‌ମାକେ’ ପକ୍ଷରୁ ଭୁବନେଶ୍ୱରରେ ହେବାକୁ ଯାଉଛି ଅଲ୍‌-ନାଇଟ୍‍ କନ୍‌ସର୍ଟ ‘ୟାମିନି’ ୨୦୧୮। ଏହି ବିଶେଷ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଆଚାର୍ଯ୍ୟବିହାରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‍ ଅଫ୍‍ ଫିଜିକ୍‌ସ ଅଡିଟୋରିୟମ୍‌ରେ ଅକ୍ଟୋବର ୨୭ ତାରିଖରେ ପରିବେଷିତ ହେବ।

SpicMacay symbolic image

“ୟାମିନି ହେଉଛି ସ୍ପିକ୍‌ମାକେର ଏକ ଅଭିନବ ପ୍ରୟାସ। ଏହା ମାଧ୍ୟମରେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ଛାତ୍ର ଓ ଯୁବକମାନଙ୍କ ପାଖରେ ପହଞ୍ଚାଇବାକୁ ଅନୁଷ୍ଠାନ ଉଦ୍ୟମ କରିଆସୁଛୁ। ଓଡ଼ିଶା ଚାପ୍‍ଟର୍‌ ପକ୍ଷରୁ ୨୦୧୫ ମସିହାରେ ପ୍ରଥମେ ୟାମିନି ଆୟୋଜିତ ହୋ‍ଇଥିଲା। ଚଳିତ ବର୍ଷ ଏହାର ଚତୁର୍ଥ ସଂସ୍କରଣ ହେବାକୁ ଯାଉଛି”, କହିଛନ୍ତି ସ୍ପିକ୍‌ମାକେ ଓଡ଼ିଶା ଚାପଟରର ସଂଯୋଜିକା ବବିତା ମିଶ୍ର।

ଦେଶବିଦେଶରେ ଥିବା ଦର୍ଶକମାନେ ସ୍ପିକ୍‌ମାକେର ଫେସବୁକ ପେଜ୍ (www.facebook.com/spicmacay) ଏବଂ ଓଡ଼ିଶା ଲାଇଭ୍‌ର ନ୍ୟୁଜ୍‌ ପୋଟାଲ (www.odisha.live) ମାଧ୍ୟମରେ ଏହି କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ଲାଇଭ୍‌ଷ୍ଟ୍ରିମିଂ(ସିଧା ପ୍ରସାରଣ) ମଧ୍ୟ ଦେଖିପାରିବେ। ଡିଜିଟାଲ ମିଡିଆ ପାର୍ଟନର ଓଡ଼ିଶାଲାଇଭ୍‍ ପକ୍ଷରୁ ଏହି ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି।

Hindustani Vocalist Ustad Raja Miyan
ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ଉସ୍ତାଦ ରାଜା ମିୟାନ

ଏହି କାର୍ଯ୍ୟକ୍ରମରେ ସମସ୍ତ କଳା ଓ ସଂସ୍କୃତି ପ୍ରେମୀ ଯୋଗ ଦେଇପାରିବେ ବୋଲି ଓଡ଼ିଶାଲାଇଭ୍‌କୁ ସେ ସୂଚନା ଦେଇଛନ୍ତି। ସନ୍ଧ୍ୟା ୭ଟାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ସାରା ରାତି ଚାଲିବ ଏବଂ ଜଣକ ପରେ ଜଣେ ଶିଳ୍ପୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିବେ।

ଚଳିତବର୍ଷ ‘ୟାମିନି’ରେ ଦେଶର ୫ ଜଣ ପ୍ରତିଷ୍ଠିତ କଳାସାଧକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଉପସ୍ଥାପନ କରିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଘଟମ୍‌ବାଦକ ବିଦ୍ୟାନ ଭିକୁ ବିନାୟକରମ୍, ସୀତାରବାଦକ ପୁର୍ବାୟନ ଚାଟାର୍ଜୀ, ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ବିଦୁଶୀ ଅଶ୍ୱୀନ ଭିଡେ ଦେଶପାଣ୍ଡେ, ସାରଙ୍ଗୀ ବାଦକ ଉସ୍ତାଦ ଶାବୀର ଖାନ୍‌, ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ଉସ୍ତାଦ ରାଜା ମିୟାନ। ଏହି ଶିଳ୍ପୀମାନେ ନିଜ ନିଜ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ଓ ବିରଳ ସାଧନା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବେଶ୍‌ ନାଁ କମାଇଛନ୍ତି।

Hindustani Classical Vocalist Ashwini Bhide Deshpande
ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ବିଦୁଶୀ ଅଶ୍ୱୀନ ଭିଡେ ଦେଶପାଣ୍ଡେ

“ଶାସ୍ତ୍ରୀୟ ସଙ୍ଗୀତର ଧାରା ମଧ୍ୟରେ ଏଭଳି କେତେକ ରାଗ ରହିଛି, ଯାହା ନିର୍ଦ୍ଦିଷ୍ଟ ସମୟରେ ଗାନ କରାଯାଏ। ବିଶେଷକରି କେତେକ ରାଗ ରାତ୍ରି ସମୟରେ ଗାନ କରାଯାଉଥିବାରୁ ‘ୟାମିନି’ କାର୍ଯ୍ୟକ୍ରମରେ ତାହା ଉପସ୍ଥାପନ କରିବା ଏକ ଅପୂର୍ବ ସଂଯୋଗ ଭାବେ ବିଚାର କରାଯାଇପାରେ। କେବଳ ସେତିକି ନୁହେଁ, ଅନେକ ଲୁପ୍ତପ୍ରାୟ ରାଗକୁ ପୁଣିଥରେ ଶ୍ରୋତାମାନଙ୍କ ନିକଟରେ ଜୀବନ୍ତକରି ରଖିବାକୁ ସ୍ପିକ୍‌ମାକେ ପକ୍ଷରୁ ଉଦ୍ୟମ କରାଯାଉଛି”, କହିଛନ୍ତି ଶ୍ରୀମତି ମିଶ୍ର।

Indian Sarangi Player Ustad Sabir Khan
ସାରଙ୍ଗୀ ବାଦକ ଉସ୍ତାଦ ଶାବୀର ଖାନ୍‌

ସ୍ପିକ୍‌ମାକେ ଓଡ଼ିଶା ଚାପ୍‍ଟର ଗତ କିଛି ବର୍ଷ ଧରି ବେଶ୍‍ ସକ୍ରିୟ ରହିଛି। ୨୬ ଅକ୍ଟୋବରରେ ସ୍ପିକ୍‌ମାକେର ପ୍ରତିଷ୍ଠାତା ଶିକ୍ଷାବିତ୍‍ ପ୍ରଫେସର ଡକ୍ତର କିରଣ ସେଠ୍ ଏବଂ ମାଇଣ୍ଡଟ୍ରୀ କନସଲଟିଂ ସଂସ୍ଥାର ପ୍ରତିଷ୍ଠାତା ତଥା ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରତ ବାଗଚି ଏବିଷୟରେ ସମସ୍ତଙ୍କ ସହିତ ଆଲୋଚନା କରିବେ।

ରାଜ୍ୟର ଅନେକ କଳା ଓ ସଂସ୍କୃତିପ୍ରେମୀ ବ୍ୟକ୍ତି ଏହା ସହିତ ଯୋଡ଼ି ହୋ‌ଇଛନ୍ତି। ବିଶେଷକରି ସ୍ପିକ୍‌ମାକେ ସହିତ ସମ୍ପୃକ୍ତ ଛାତ୍ର-ସ୍ୱେଚ୍ଛାସେବୀମାନେ ଏହାର ପ୍ରସାର ଓ ପରିଚାଳନା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି।

Comment