ଓଡ଼ିଶାଲାଇଭ୍ ବ୍ୟୁରୋ

କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଷଷ୍ଠ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଭୁବନେଶ୍ଵର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଉତ୍ସବରେ ରାଜ୍ୟର ବହୁ ଖ୍ୟାତନାମା ଚିତ୍ରଶିଳ୍ପୀ, କଳାକାର ଓ ଚିତ୍ର ପ୍ରେମୀମାନେ ଯୋଗ ଦେଇଥିଲେ। ଏଠାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କରିଥିବା ଚିତ୍ରଗୁଡ଼ିକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଇଥିଲା।

“ଓଡ଼ିଶା ସାରା ବିଶ୍ଵରେ କଳାର ଗନ୍ତାଘର ଭାବେ ପରିଚିତ। ଚିତ୍ରକଳା ଆମ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହା ବିନା ସମାଜ ରଙ୍ଗହୀନ ହୋଇଯିବ। ଏଥିଲାଗି କଳାର ଉନ୍ନତି ପାଇଁ ଆମକୁ ଆଗକୁ ଆସିବାକୁ ହେବ”, କହିଥିଲେ ପ୍ରଫେସର ପ୍ରସନ୍ନ କୁମାର ସ୍ଵାଇଁ।

କାର୍ଯ୍ୟକ୍ରମକୁ ଆସିଥିବା ଅତିଥିମାନେ ଚିତ୍ରକଳା ପ୍ରଦର୍ଶନୀ ବୁଲି ସୁନ୍ଦର ସୁନ୍ଦର ଚିତ୍ରଗୁଡ଼ିକୁ ଦେଖିଥିଲେ। ସେମାନେ ଛାତ୍ରଛାତ୍ରୀମାନଙ୍କୁ ସମସାମୟିକ ଚିତ୍ରକଳା ଶିକ୍ଷା ବିଷୟରେ ଉଦ‌ବୋଧନ ଦେଇ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କୃତୀ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କୁ ପୁରସ୍କାର ସ୍ୱରୂପ ଅର୍ଥରାଶି, ଉପଢୌକନ ଓ ମାନପ‌ତ୍ର ପ୍ରଦାନ ଦିଆଯାଇ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବରେ ରାଜ୍ୟ ଶକ୍ତି ବିଭାଗର ଯୁଗ୍ମ ସଚିବ ମନସ୍ଵିନୀ ସାହୁ, ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରସ୍ତର ଶିଳ୍ପୀ ସୁଦର୍ଶନ ସାହୁ, କେନ୍ଦ୍ର ଲଳିତ କଳା ଏକାଡେମୀର ସଦସ୍ୟ ତଥା ବିକେ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟର ପୂର୍ବତନ ଅଧ୍ୟକ୍ଷ ବଳଦେବ ପ୍ରସାଦ ମହାରଥୀ, ଲଳିତ କଳା ଏକାଡେମୀର ଆଞ୍ଚଳିକ କ୍ଷେତ୍ରୀୟ ସଚିବ ରାମକୃଷ୍ଣ ବେଦଲା ପ୍ରମୁଖ ଯୋଗ ଦେଇଥିଲେ। ଏହାସହ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟର ଅନେକ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।  

Tags: #KalingaCollegeofArt #AnnualFunction #Art #Bhubaneswar #Odisha    

LEAVE A REPLY

Please enter your comment!
Please enter your name here