କପିଳାସ ଭୂୟାଁ

ଦିନ ତ ଦିନ ରାତିରେ ବି ହାଇମାଷ୍ଟ ଆଲୋକରୁ ବିଚ୍ଛୁରିତ ନିୟନ ଆଲୋକରେ ଆଲୋକିତ ହୋଇ ଦେଖାଯାଏ କାଳିଆ ଆଉ କଷରା ରଙ୍ଗର ଦୁଇଟି ବଳଦଙ୍କ କାନ୍ଧରେ ଯୋଚା ହୋଇ ଧାବମାନ ଅବସ୍ଥାରେ ଥିବା ‘ମାଗୁଣିର ଶଗଡ଼’।

ଭୁବନେଶ୍ଵରରୁ ଆସ୍କା ଗଲାବେଳେ ବାଟରେ ପଡ଼େ ଖଲ୍ଲିକୋଟ। ପୂର୍ବେ ଏହା ଖଲ୍ଲିକୋଟ ରାଜାଙ୍କ ଗଡ଼ ଥିଲା। ଗତ ଶତାବ୍ଦୀର ମଧ୍ୟ ଭାଗରେ ଖଲ୍ଲିକୋଟ ରାଜ ଉଆସକୁ ସରକାର କିଣିନେଇ ସେଠାରେ ୧୯୫୭ ମସିହାରେ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ ଆରମ୍ଭ କରିଥିଲେ, ଯାହା ଦ୍ଵାରା ଓଡ଼ିଶାରେ କଳା ଶିକ୍ଷାର ପ୍ରସାର ଘଟିଥିଲା।

ସେହି ଖଲ୍ଲିକୋଟରେ ଭୁବନେଶ୍ୱର ଆଡୁ ଯାଇ ପଶିଲେ ଗୋଟିଏ ତିନି ମୁହାଣି ଛକ ପଡ଼େ, ଯେଉଁଠାରେ ବସଷ୍ଟାଣ୍ଡ ଅଛି ଓ ଯାହା ସହରର କେନ୍ଦ୍ରସ୍ଥଳ ରୂପେ ବିବେଚିତ। ସେଠାରେ ପହଞ୍ଚିଲେ ସହସା ଯାହା ଦୃଷ୍ଟିରେ ପଡ଼େ ତା’ ହେଲା ‘ମାଗୁଣିର ଶଗଡ଼’।

ଦିନ ତ ଦିନ ରାତିରେ ବି ହାଇମାଷ୍ଟ ଆଲୋକରୁ ବିଚ୍ଛୁରିତ ନିୟନ ଆଲୋକରେ ଆଲୋକିତ ହୋଇ ଦେଖାଯାଏ କାଳିଆ ଆଉ କଷରା ରଙ୍ଗର ଦୁଇଟି ବଳଦଙ୍କ କାନ୍ଧରେ ଯୋଚା ହୋଇ ଧାବମାନ ଅବସ୍ଥାରେ ଥିବା ‘ମାଗୁଣିର ଶଗଡ଼’। ହାତରେ ପାଞ୍ଚଣ ଉଞ୍ଚାଇ ବସିଥିବା ଅବସ୍ଥାରେ ମାଗୁଣି ଓ ଶଗଡ଼ରେ ବସିଥିବା ଅନ୍ୟ ଯାତ୍ରୀଗଣ। ସମୁଦାୟ ଭାସ୍କର୍ଯ୍ୟ କଳାଟି ଫାଇବର କାଷ୍ଟରେ କରାଯାଇଥିବା ବେଳେ ତାହାର ଆକାର ହେଉଛି ୧୨ ଦୈର୍ଘ୍ୟ, ୮ ପ୍ରସ୍ଥ ଓ ୮ ଉଚ୍ଚତା ବିଶିଷ୍ଟ।

ଗତ ଶତାବ୍ଦୀର ପଚାଶରୁ ସତୁରୀ ଦଶକ ମଧ୍ୟରେ ଜନ୍ମ ହୋଇଥିବା ପିଲାମାନେ ପ୍ରାୟ ସମସ୍ତେ ସେମାନଙ୍କ ବିଦ୍ୟାଳୟ ପାଠ୍ୟକ୍ରମରେ ଗୋଦାବରୀଶ ମହାପାତ୍ରଙ୍କ ଗପ ‘ମାଗୁଣିର ଶଗଡ଼’ ପଢ଼ି ବଡ଼ ହୋଇଛନ୍ତି। ପରବର୍ତ୍ତୀ ସମୟରେ ପିଲାମାନେ ହୁଏତ ଏହି ଗପଟିକୁ ପଢ଼ି ନଥାଇ ପାରନ୍ତି। କିନ୍ତୁ ‘ମାଗୁଣିର ଶଗଡ଼’ ଗପଟିକୁ ଯେଉଁମାନେ ପଢ଼ିଛନ୍ତି ସେମାନେ ତାହାକୁ ଭୁଲି ପାରିନାହାନ୍ତି। ସେହିଭଳି ଗୋଟିଏ କାରଣରୁ ଆଜି ଖଲ୍ଲିକୋଟ ଛକରେ ‘ମାଗୁଣିର ଶଗଡ଼’ ଠିଆ ହେଇଛି।

“ଖଲ୍ଲିକୋଟର ଦୁଇଲକ୍ଷ ଲୋକ। ଗଡ଼ରେ ପଚାରିଲେ ସମସ୍ତେ କହିବେ ମାଗୁଣି କିଏ। ଦୂରରେ ଜଙ୍ଗଲ ତଳେ ପଲ୍ଲୀ ଗାଁରେ ମଧ୍ୟ ତା’ର ପରିଚୟ ମିଳିପାରିବ। ମାଗୁଣି ଖଲ୍ଲିକୋଟର କେହି ନୁହେଁ। ସେ ଜଣେ ଶଗଡ଼ିଆ। ଦୁଇଟା ବଳଦ ଓ ସେ, ତିନିହେଁ ମିଶି ଗୋଟେ ସଂଘ ଗଢ଼ିଥିଲେ ଯାହାକି ଦୁଇ ଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା।

ପ୍ରତି ଦିନ ଖଲ୍ଲିକୋଟ ଗଡ଼ରେ ସୂର୍ଯ୍ୟ ଉଏଁ ଓ ସୂର୍ଯ୍ୟ ଅସ୍ତ ହୁଏ। ଘନଘୋର ବର୍ଷାଦିନେ ଲୋକେ ସୂର୍ଯ୍ୟ ନଦେଖି ମାଗୁଣିକୁ ଦେଖି ବେଳ ଜାଣନ୍ତି। ମାଘ ମାସର ଜାଡ଼ରେ ଲୋକେ ପିଣ୍ଡାରେ ଘୋଡ଼ିଘାଡ଼ିହେଇ ବସିଥିବାବେଳେ ମାଗୁଣି ନିଜ ପରିଚିତ ସାଙ୍ଗ ଦୁଇଟିଙ୍କୁ ଶଗଡ଼ରେ ଯୋଚି ପାହାଡ଼ ତଳେ ଗୀତ ବୋଲି ଚାଲିଯାଏ। ଲୋକେ କହନ୍ତି ମାଗୁଣି ସେମାନଙ୍କର ଗୋଟାଏ ଘଣ୍ଟା।

ବର୍ଷାଦିନେ ବର୍ଷା ଘୁଞ୍ଚି ଯାଇପାରେ, ଖରାଦିନେ ଖରାର ତାତି ଊଣା ହେଇପାରେ, କିନ୍ତୁ ମାଗୁଣିର ଶଗଡ ଦିନେ ହେଲେ ବନ୍ଦ ହୁଏନାହିଁ”।

ମୋଟାମୋଟି ମାଗୁଣି ବଞ୍ଚୁଥିଲା ଗୋଟେ କର୍ତ୍ତବ୍ୟନିଷ୍ଠ ଜୀବନ। ଖଲ୍ଲିକୋଟ ଷ୍ଟେସନରୁ ଗଡ଼କୁ ଯାତ୍ରୀ ନେବା ଆଣିବା ଭିତରେ ‘ମାଗୁଣିର ଶଗଡ଼’ ଗପରେ ପ୍ରତିଫଳିତ ହୁଏ ଏକ ଆତ୍ମନିର୍ଭରଶୀଳ ଗ୍ରାମୀଣ ଜୀବନ। କେବଳ ଖଲ୍ଲିକୋଟ ବା ଓଡ଼ିଶା ନୁହେଁ, ଆମର ସାରା ଦେଶରୁ ଗ୍ରାମୀଣ ଜୀବନ ଯାନ୍ତ୍ରିକ ବ୍ୟବସ୍ଥାର ଉନ୍ନତି ଦ୍ଵାରା କାଳକ୍ରମେ ବିପନ୍ନ ଓ ନିଶ୍ଚିହ୍ନ ହୋଇଗଲା। ଆଜି ମଧ୍ୟ ସେହିଭଳି ହେଉଛି।

ବୋଝରେ ଜିନିଷ ମୁଣ୍ଡେଇ ସାହିସାହି ଭିତରେ ଡାକ ଛାଡ଼ ବୁଲୁଥିବା ବୁଲାବିକାଳିମାନେ ସତେ ଯେମିତି ଉଭାନ ହେଗଲେଣି। ମୋପେଡ଼ ଗାଡ଼ି ଆଗରେ ଡାକବାଜି ଯନ୍ତ୍ରରେ ପୂର୍ବରୁ ରେକର୍ଡିଂ ହୋଇଥିବା ଗୀତ ସହ ଡାକ ଶୁଣାଇ ଜିନିଷ ବିକ୍ରି କରିବା ଏବେ ଏକ ନୂଆ ଉପାୟ ପାଲଟିଛି। କେହି କେହି ଗାଡ଼ିରେ ସବୁ ପ୍ରକାର ଘରକରଣା ସାମଗ୍ରୀ ଆଣି ଗାଁ ମୁଣ୍ଡରେ ଠିଆ ହୋଇ ଗୋଟିଏ ଗୋଟିଏ ସୁପର ମାର୍କେଟର ଭ୍ରମ ସୃଷ୍ଟି କରୁଛନ୍ତି। ତେଣୁ ଗାଁର ସାହୁଘର ଦୋକାନ ଆଉ ଚାଲୁନାହିଁ। ଫଳରେ ଗ୍ରାମୀଣ ଅର୍ଥନୀତିରେ ଆସିଛି ଘୋର ପରିବର୍ତ୍ତନ।

ମାଗୁଣି ଜୀବନରେ ମଧ୍ୟ ଦିନେ ବିପର୍ଯ୍ୟୟ ଆସିଲା। ଗଡ଼ର ସିଂହଘର ଗୋଟିଏ ବସ ଆଣିଲେ। ସେ ବସଟିକୁ ସେମାନେ ଖଲ୍ଲିକୋଟ ଷ୍ଟେସନରୁ ଗଡ଼କୁ ଯାତ୍ରୀ ନେବା ଆଣିବା ପାଇଁ ଚଳାଇଲେ। ପ୍ରଥମେ ପ୍ରଥମେ ମାଗୁଣି କଥାଟାକୁ ବେଖାତିର କଲା, ଭାବିଲା ବର୍ଷ ବର୍ଷ ଧରି ତା’ ଶଗଡ଼ରେ ଯା’ଆସ କରୁଥିବା ଲୋକେ କ’ଣ କେବେ ସିଂହଘର ବସରେ ବସିବେ? କିନ୍ତୁ ମାଗୁଣିର ଭାବିବା ମତେ ଘଟଣା ଘଟିଲା ନାହିଁ। ବସରେ ନଯାଇ ତା’ ଶଗଡ଼ରେ ଯିବାକୁ ମାଗୁଣି ଲୋକଙ୍କ ହାତ ଧରି ନେହୁରା ହେଲେ ବି ଲୋକେ ତା’ ଶଗଡ଼ରେ ଯିବାକୁ ଆଉ ପସନ୍ଦ କଲେ ନାହିଁ। ମାଗୁଣିର ବେଉସା ବୁଡ଼ିଲା!

ଗୋଦାବରୀଶଙ୍କ ଏହି କ୍ଷୁଦ୍ର ଗପଟିରେ ଗ୍ରାମୀଣ ଜୀବନର ଆନନ୍ଦମୟ ଜୀବନ ପାଠକକୁ ଯେତିକି ଆମୋଦିତ କରେ, ପରବର୍ତ୍ତୀ ସମୟରେ ମାଗୁଣିର ଅସହାୟତା ମଧ୍ୟ ତହିଁରୁ ଅଧିକ ମାତ୍ରାରେ ଆତ୍ମାକୁ ମ୍ରିୟମାଣ କରେ। ଗପଟିର ଆବେଦନ ଏତେ ମର୍ମସ୍ପର୍ଶୀ ଯେ ଏହାକୁ ଥରେ ପଢ଼ିଲେ ଆଉ ଭୁଲି ହୁଏ ନାହିଁ।

ସେହିଭଳି ଏକ ଅଭୂଲା ଚିତ୍ରକଳ୍ପ ଆଧାରରେ ଖଲ୍ଲିକୋଟ ଛକରେ ଆଜି ଠିଆ ହୋଇ ରହିଛି ‘ମାଗୁଣିର ଶଗଡ଼’ – କାଳିଆ ଓ କଷରା ଦୁଇ ସାଙ୍ଗ ବଳଦଙ୍କ ସହ ମାଗୁଣି। ସାଧାରଣ ଭାବେ କୌଣସି ସହର ବା ସ୍ଥାନରେ ଥିବା ମୁଖ୍ୟ ଛକଗୁଡ଼ିକରେ ସ୍ଥାନୀୟ, ରାଜ୍ୟସ୍ତରୀୟ ବା ଜାତୀୟ ସ୍ତରର ବରପୁତ୍ର କିମ୍ବା ରାଜନୈତିକ ବ୍ୟକ୍ତିବିଶେଷମାନଙ୍କ ଆବକ୍ଷ ବା ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାନୀତ ହେବାର ଦେଖାଯାଏ। କିନ୍ତୁ କୌଣସି ଏକ ଗପର ଚରିତ୍ରକୁ ନେଇ ଭାସ୍କର୍ଯ୍ୟ କଳା କ୍ଵଚିତ ଦେଖିବାକୁ ମିଳେ। ତେଣୁ ଖଲ୍ଲିକୋଟ ଏନଏସି ପକ୍ଷରୁ ଏଭଳି ଏକ ବିରଳ ପଦକ୍ଷେପ ନିଆଯାଇଥିବାରୁ କର୍ତ୍ତୃପକ୍ଷଙ୍କୁ ମୁକ୍ତକଣ୍ଠରେ ପ୍ରସଂଶା ନକରି ରହି ହେବନାହିଁ।

ଏହି ଭାସ୍କର୍ଯ୍ୟ କଳାଟି ଆଜି ଖଲ୍ଲିକୋଟ ଓ ଆଖପାଖ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ଯେଉଁ ବୟସ୍କ ବ୍ୟକ୍ତିମାନେ ‘ମାଗୁଣିର ଶଗଡ଼’ ଗପଟି ବିଷୟରେ ଜାଣିଛନ୍ତି ସେମାନେ ଏହି ଭାସ୍କର୍ଯ୍ୟଟିକୁ ଦେଖି ଖୁସି ହେଉଛନ୍ତି। ଯେଉଁମାନେ ଜାଣି ନାହାନ୍ତି, ସେମାନେ ପରସ୍ପର ଭିତରେ ଆଲୋଚନା କରୁଛନ୍ତି ଓ ‘ମାଗୁଣିର ଶଗଡ଼’ ବିଷୟରେ ଅଧିକ ଜାଣିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏହି ଭାସ୍କର୍ଯ୍ୟକୁ ଇଂରାଜୀରେ କୁହାଯାଉଥିବା ‘ପବ୍ଲିକ ଆର୍ଟ’ ଶ୍ରେଣୀଭୁକ୍ତ କଲେ କିଛି ଭୁଲ ହେବନାହିଁ।

ମୂଳତଃ, ଖଲ୍ଲିକୋଟ ଛକରେ ଏଭଳି ଏକ ଭାସ୍କର୍ଯ୍ୟ ସ୍ଥାପନ କରିବାର ମୂଳ ଧାରଣା ପ୍ରଥମେ ସ୍ଥାନୀୟ ଏନଏସିର ଅଧ୍ୟକ୍ଷ ଇଞ୍ଜିନିୟର ନିରଞ୍ଜନ ବେହେରାଙ୍କ ମୁଣ୍ଡକୁ ଆସିଥିଲା।

“ମୁଁ ସ୍କୁଲରେ ‘ମାଗୁଣିର ଶଗଡ଼’ ଗପଟି ପଢ଼ିଥିଲି। ମାଗୁଣି ଖଲ୍ଲିକୋଟରେ ଶଗଡ଼ ଚଲାଉଥିଲା। ‘ମାଗୁଣିର ଶଗଡ଼’ ଓଡ଼ିଶାରେ ଏକ ଜନପ୍ରିୟ ଗପ ଏବଂ ଖଲ୍ଲିକୋଟ ପାଇଁ ଏକ ଅବିସ୍ମରଣୀୟ ଆତ୍ମ-ପରିଚୟ। ତେଣୁ ଏଠାକାର ବସ ଷ୍ଟାଣ୍ଡ ଛକରେ ‘ମାଗୁଣିର ଶଗଡ଼’ ସ୍ଥାପନ କଲେ ଭଲ ହେବ ବୋଲି ମନେ କଲି”, ଆତ୍ମସନ୍ତୋଷର ସହ କହନ୍ତି ଇଞ୍ଜିନିୟର ନିରଞ୍ଜନ ବେହେରା।

ତାଙ୍କ କଳ୍ପନାକୁ ବାସ୍ତବ ରୂପ ଦେବା ପାଇଁ ନିରଞ୍ଜନ ବାବୁ ସ୍ଥାନୀୟ ଯୁବଶିଳ୍ପୀ ଭବାନୀ ପ୍ରସାଦ ସାମନ୍ତଙ୍କୁ ଦାୟିତ୍ୱ ଦେଲେ। ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟରେ ‘ମାଗୁଣିର ଶଗଡ଼’ର ପ୍ରତିରୂପ ଖଲ୍ଲିକୋଟ ଛକରେ ସ୍ଥାନୀତ ହେଲା। ଉଲ୍ଲେଖନୀୟ କି ଭବାନୀ ପ୍ରସାଦ ସାମନ୍ତ ସ୍ଥାନୀୟ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର। ପ୍ରାୟ ଚାରି ମାସରୁ ଅଧିକ ସମୟ ବିନିଯୋଗ କରି ସେ ଏହି ‘ମାଗୁଣିର ଶଗଡ଼’ ଭାସ୍କର୍ଯ୍ୟ କଳାଟିକୁ ପ୍ରସ୍ତୁତ କରିଛନ୍ତି। ସେଥିପାଇଁ ସେ ନିଶ୍ଚୟ ଧନ୍ୟବାଦର ପାତ୍ର।

ଏତେ ସବୁ ସାଧୁ ଉଦ୍ୟମ ସତ୍ତ୍ୱେ ଗୋଟିଏ ଗୁରୁତର ତ୍ରୁଟି ପରିଲକ୍ଷିତ ହୁଏ। ତାହା ହେଲା ଯେ ଭାସ୍କର୍ଯ୍ୟ କଳାଟି ସମ୍ମୁଖରେ ବଡ଼ ହରଫରେ ଲେଖା ଯାଇଥିବା ‘ମାଗୁଣିର ଶଗଡ଼’ ଓ ଭାସ୍କର୍ଯ୍ୟଟିର ଚାରିପଟେ ରହିଥିବା ଷ୍ଟିଲ ପାଇପର ସୁରକ୍ଷା ବାଡ଼, ଯାହା କି ଭାସ୍କର୍ଯ୍ୟ କଳାଟିର ସୌନ୍ଦର୍ଯ୍ୟକୁ ବିକୃତ କରୁଛି। ଏହା ବାଡ଼ ଫସଲ ଖାଇଲା ପରି କଥାଟିଏ ନୁହେଁ କି? ସତର୍କତା ଅବଲମ୍ବନ ପୂର୍ବକ ‘ମାଗୁଣିର ଶଗଡ଼’କୁ ଛୋଟ ହରଫରେ ଗୋଟିଏ ପାର୍ଶ୍ଵରେ ଓ ଷ୍ଟିଲ ବାଡ଼ର ଉଚ୍ଚତାକୁ ଛୋଟ କରିଥିଲେ ଏହି ସମସ୍ୟାକୁ ଏଡ଼ା ଯାଇ ପାରିଥାଆନ୍ତା।

ସେ ଯାହା ବି ହେଉ, ଖଲ୍ଲିକୋଟର ସ୍ଥାନୀୟ ଏନଏସି କର୍ତ୍ତୃପକ୍ଷଙ୍କ ଦ୍ଵାରା ଏହା ନିଶ୍ଚୟ ଏକ ପ୍ରଶଂସନୀୟ ଉଦ୍ୟମ, ଓ ଏଭଳି ଉଦ୍ୟମର ସକରାତ୍ମକ ପ୍ରଭାବ ଆମ ରାଜ୍ୟର ଅନ୍ୟସବୁ ଅଞ୍ଚଳରେ ପଡ଼ିବ ବୋଲି ଆଶା ଖାଯାଇପାରେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Tags: #MaguniraSagara #Art #Khallikote #Story #PublicArt #Odisha

Comment