ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଟପ୍‌ ଦୁଇ ଜଣ ଅଧିକାରୀ ଆଲୋକ ବର୍ମା ଓ ରାକେଶ ଆସ୍ଥାନାଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦେବା ପରେ ନରେନ୍ଦ୍ର ମୋଦି ସରକାର ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି।

ନାଗେଶ୍ୱର ରାଓ ହେଉଛନ୍ତି ୧୯୮୬ ବ୍ୟାଚ ଓଡ଼ିଶା କ୍ୟାଡରର ଆଇପିଏସ। ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲା ବୋରେନରସାପୁର ଗ୍ରାମରେ ତାଙ୍କର ଜନ୍ମ।

ନାଗେଶ୍ୱର ରାଓ ପୂର୍ବରୁ ମୟୂରଭଞ୍ଜ, ନବରଙ୍ଗପୁର,ବରଗଡ଼ ଓ ଜଗତସିଂହପୁରର ଏସ୍‌ପି ଥିଲେ। ରେଳବାଇ ଏସ୍‌ପି ଭାବରେ ମଧ୍ୟ ସେ ରାଉରକେଲା ଓ କଟକରେ କାର୍ଯ୍ୟ କରିଛନ୍ତି। କିଛି ମାସ ପାଇଁ ସେ କ୍ରାଇମବ୍ରାଞ୍ଚ ଏସ୍‌ପି ମଧ୍ୟ ରହିଥିଲେ। ଆହୁରି ମଧ୍ୟ ସେ ଓଡ଼ିଶା ଅଗ୍ନିଶମ ବିଭାଗର ମୁଖ୍ୟ ଥିଲେ ଓ ଉତ୍ତମ କାର୍ଯ୍ୟ ସମ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ମେଡାଲ ବି ପାଇଛନ୍ତି। ୨୦୧୩ ଫାଇଲିନ ଓ ୨୦୧୪ ହୁଡହୁଡ ବାତ୍ୟାରେ ସେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ।

ନାଗେଶ୍ୱର ରାଓଙ୍କ କ୍ୟାରିଅରର ସବୁଠାରୁ ବଡ଼ କଥା ହେଉଛି ଆଇପିଏସ ପାଇବା ପରେ ସେ ଯେତେବେଳେ ତାଳଚେରରେ ପ୍ରଥମ ଥର ପାଇଁ କାର୍ଯ୍ୟରେ ଯୋଗ ଦେଇଥିଲେ ସେଠାକାର କୋଇଲା ମାଫିଆଙ୍କୁ ସାବାଡ଼ କରିଥିଲେ। ସିଆରପିଏଫର ଡିଆଇଜି (ଅପରେସନ୍ )ଥିବା ବେଳେ ମଣିପୁରରେ ବିଦ୍ରୋହୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଜଗତସିଂହପୁର ଏସ୍‌ପି ଥିବା ବେଳେ ପ୍ରଥମ ଥର ପାଇଁ ମହେଶ୍ୱର ରାଓ ଡିଏନଏ ଫିଙ୍ଗରପ୍ରିଣ୍ଟ ଜରିଆରେ ଏକ ବଳାତ୍କାର ଘଟଣାର ସମାଧାନ କରିବାରେ ସଫଳ ହୋଇଥିଲେ। ଏହା ୧୯୮୬ର ଘଟଣା।

ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତ ହେବା ପୂର୍ବରୁ ସେ ଏହାର ଯୁଗ୍ମ ନିର୍ଦ୍ଦେଶକ ରହି ସାରିଛନ୍ତି। ଏ ବର୍ଷ ତାଙ୍କୁ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଭାବରେ ପଦୋନ୍ନତି ମିଳିଥିଲା। ଆଗ୍ରହର ବିଷୟ ହେଲା ନିଜର ଦକ୍ଷତା ସତ୍ତ୍ୱେ ଓଡ଼ିଶାରେ କାର୍ଯ୍ୟ କରିବା ସମୟରେ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ଜିଲ୍ଲାରେ ତାଙ୍କୁ ଏସ୍‌ପି ପଦରେ ଅବସ୍ଥାପିତ କରାଯାଇନଥିଲା। ତା’ ଛଡ଼ା ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜଣେ ଖାସ ଅଫିସର ଭାବରେ ଜଣାଶୁଣା।

ଓସମାନିଆ ବିଶ୍ୱବିଦ୍ୟାଳୟରୁ ମହେଶ୍ୱର ରାଓ କେମିଷ୍ଟ୍ରିରେ ପୋଷ୍ଟ ଗ୍ରାଜୁଏସନ କରିଛନ୍ତି। ଆଇଆଇଟି ମାଡ୍ରାସରୁ ମଧ୍ୟ ସେ ଗବେଷଣା କରିଛନ୍ତି।

Comment