ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅନାଦି ଚରଣ ସାହୁଙ୍କ ପରଲୋକ ଘଟିଛି। ଶୁକ୍ରବାର କଟକ ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ୧୯୯୯ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ।  

ଅନାଦି ଚରଣ ସାହୁ କିଛିଦିନ ଧରି ଅସୁସ୍ଥ ଥିଲେ। ଘରେ ରହି ସେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁରେ ଅନେକ ବିଶିଷ୍ଠ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଶନିବାର କଟକ ସତୀଚଉରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ।  

ଅନାଦି ଚରଣ ସାହୁ ଓଡ଼ିଶା ପୋଲିସରେ ଆଇଜି ଭାବେ କାର୍ଯ୍ୟ କରୁଥିଲେ। ପରେ ଭାରତୀୟ ପୋଲିସ ସେବାରୁ(ଆଇପିଏସ) ଇସ୍ତଫା ଦେଇ ସେ ରାଜନୀତିରେ ପ୍ରବେଶ କରିଥିଲେ।

୧୯୯୬ ମସିହା ସାଧାରଣ ନିର୍ବାଚନରେ ଅନାଦି ଚରଣ ସାହୁ କଂଗ୍ରେସ ଟିକେଟରେ କଟକ ଲୋକସଭା ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ଉକ୍ତ ନିର୍ବାଚନରେ ସେ ଜନତା ଦଳର ପ୍ରାର୍ଥୀ ବିଜୁ ପଟ୍ଟନାୟକଙ୍କଠାରୁ ପରାସ୍ତ ହୋଇଥିଲେ। ହେଲେ ବିଜୁ ପଟ୍ଟନାୟକ ଆସ୍କା ଲୋକସଭା ଆସନରୁ ମଧ୍ୟ ବିଜୟୀ ହୋଇଥିବାରୁ କଟକ ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ।

ବିଜୁ ପଟ୍ଟନାୟକଙ୍କ ଇସ୍ତଫା ଦେବା ପରେ ପୁଣି କଟକ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଏଥିରେ ଅନାଦି ଚରଣ ସାହୁ ଜନତା ଦଳର ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ସହ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ଏଥିରେ ୨୭ ହଜାର ୬୦୭ ଖଣ୍ଡ ଭୋଟରେ ଭର୍ତ୍ତୃହରି ମହତାବଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନାଦି ଚରଣ ସାହୁ।

ତେବେ ଏହାପରେ ଅନାଦି ଚରଣ ସାହୁ ବିଜେପିରେ ସାମିଲ ହୋଇଥିଲେ। ୧୯୯୯ ମସିହା ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁର ଲୋକସଭା ଆସନରୁ ପ୍ରତିଦ୍ଵନ୍ଦ୍ଵିତା କରିଥିଲେ। ଏଥିରେ ସେ ବିଜୟୀ ହୋଇଥିଲେ। ହେଲେ ୨୦୦୪ ପରଠାରୁ ସେ ରାଜନୀତିରୁ ଦୂରେଇ ଯାଇଥିଲେ।    

Tags: #AnadiCharanSahu #FormerMP #IPSOfficer #Loksabha #Brahmapur #Cuttack #Odisha

Comment