ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଥିବା ଐତିହାସିକ କନିକା ପାଠାଗାର ବିପଦସଙ୍କୁଳ ହୋଇପଡ଼ିଥିବାରୁ ଗତ ତିନି ମାସ ପାଇଁ ଏହାକୁ ବନ୍ଦ ରଖାଯାଇଛି। ଫଳରେ ଛାତ୍ରଛାତ୍ରୀମାନେ ପୁସ୍ତକ, ପତ୍ରପତ୍ରିକା ଓ ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷା ପାଇଁ ଆବଶ୍ୟକ ଜର୍ଣ୍ଣାଲ ଆଦି ପାଇବାରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଖବର ନେବାରେ ଜଣାପଡ଼ିଛି ଯେ ଲାଇବ୍ରେରୀ ଛାତର ଗୋଟିଏ ଭାଗ ଖସି ଯାଇଥିଲା ଏବଂ ଏଥିପାଇଁ ଗତ ଜୁଲାଇ ମାସରେ ରେଭେନ୍ସା କର୍ତ୍ତୃପକ୍ଷ ଏହାକୁ ବନ୍ଦ କରିଦେଇଥିଲେ।

୨୦୧୧ ମସିହାରେ ଇଡ୍‌କୋ କର୍ତ୍ତୃପକ୍ଷ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ସିଲିଂକୁ ମରାମତି କରିଥିଲେ। ସେତେବେଳେ କୁହାଗଲା ଯେ ୨୦୨୧ ପର୍ଯ୍ୟନ୍ତ କୌଣସି ପ୍ରକାର ତ୍ରୁଟି ଦେଖାଯିବ ନାହିଁ। ହେଲେ ୨୦୧୩ ମସିହାରୁ ପାଣି ଗଳିବା ଆରମ୍ଭ ହେଲା ଓ ତା’ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଇଡ୍‌କୋକୁ ପୁଣି ଚିଠି ଲେଖିବା ଆବଶ୍ୟକ ପଡ଼ିଲା।

୨୦୧୩ରୁ ୨୦୧୬ ଦୀର୍ଘ ତିନି ବର୍ଷ ଧରି ଚିଠି ଲେଖିଥିଲେ ମଧ୍ୟ ଇଡ୍‌କୋ ଏଥିପ୍ରତି କର୍ଣ୍ଣପାତ କରୁନଥିଲେ। ପରେ ସିଲିଂକୁ ମରାମତି କରିବା ପାଇଁ ପଦକ୍ଷେପ ନିଆଗଲା। ଏବର୍ଷ ନିରନ୍ତର ବର୍ଷା ଯୋଗୁଁ ଉପରୁ ଖଣ୍ଡଖଣ୍ଡ ପ୍ଲାଷ୍ଟର ଖସିବା ଆରମ୍ଭ ହେବାରୁ ପ୍ରତିଷେଧ ବ୍ୟବସ୍ଥା ସ୍ୱରୂପ ଲାଇବ୍ରେରୀକୁ ବନ୍ଦ କରିବା ପାଇଁ ୟୁନିଭର୍ସିଟି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଲେ। ଶହେ ବର୍ଷର ପାଠାଗାରଟି ମରାମତି ପାଇଁ ଉପଯୁକ୍ତ ନୁହେଁ ବୋଲି କହିଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ଇସାନ ପାତ୍ର। ସିମେଣ୍ଟ ଖଣ୍ଡ ଓ ପଲସ୍ତରା ଖସିବାରୁ ଆମେ ବାଧ୍ୟ ହୋଇ ଲାଇବ୍ରେରୀକୁ ବନ୍ଦ କଲୁ ବୋଲି କହିଛନ୍ତି ଭିସି। ଏବେ ଏନେଇ ଇଡ୍‌କୋ ଓ ପିଡ଼ବ୍ଲ୍ୟୁଡି ସହିତ କଥାବାର୍ତ୍ତା ଚାଲିଛି ଓ ସାନି ଅଟକଳ ମଗାଯାଇଛି ବୋଲି ସେ କହିଛନ୍ତି।

ଅଟକଳ ଆସିବା ପରେ ମରାମତି କାମ ଆରମ୍ଭ ହେବ ବୋଲି ଭିସି ପ୍ରତିଶ୍ରୁତି ଦେଇଛନ୍ତି।

କନିକା ଲାଇବ୍ରେରୀ ୧୯୨୨ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଓ କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ ଏହି ପାଠାଗାର ପାଇଁ ସେତେବେଳେ ୫୫ ହଜାର ଟଙ୍କା ଦେଇଥିଲେ। କନିକା ପାଠାଗାର ଓଡ଼ିଶାର ସବୁଠାରୁ ପୁରାତନ ପାଠାଗାର। ୯ ହଜାର ବର୍ଗଫୁଟ ଅଞ୍ଚଳ ପରିମିତ ଏହି ଲାଇବ୍ରେରୀରେ ପ୍ରାୟ ଅଢ଼େଇ ଲକ୍ଷ ପୁସ୍ତକ ରହିଛି। ଏଥି ମଧ୍ୟରେ କିଛି ଦୁର୍ଲଭ ପୁସ୍ତକ ମଧ୍ୟ ଗଛିତ ଅଛି।

Comment