ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଓଡ଼ିଶା ସରକାର ଗତ କିଛି ବର୍ଷ ମଧ୍ୟରେ ନୂଆ ନୂଆ ଯୋଜନା ପ୍ରଣୟନ କରିଛନ୍ତି। ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବା ପାଇଁ ରାଜ୍ୟ ସରକାର କାମ କରି ଚାଲିଛନ୍ତି। ଗତ କିଛି ବର୍ଷ ହେଲା ଓଡ଼ିଶାରେ ଯେଉଁ ନୂଆ ଯୋଜନା ପ୍ରଣୟନ କରାଯାଇଛି ତାହା ଅନ୍ୟ ରାଜ୍ୟ ପାଇଁ ରୋଲ୍ ମଡେଲ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ନ୍ୟୁଜ୍ ୧୮ ଓଡ଼ିଆ ଚ୍ୟାନେଲ ପକ୍ଷରୁ ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଛି ‘ରାଇଜିଂ ଓଡ଼ିଶା – ୨୦୧୮’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତୀୟ ସ୍ତରରେ ଓଡ଼ିଶାର ସ୍ଥିତି ବିଷୟରେ ସୂଚନା ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଜାତୀୟ ସ୍ତରରେ ଓଡ଼ିଶାର ପରିଚୟ ବଦଳିଛି। ଓଡ଼ିଶାରେ ଆଉ ପୂର୍ବ ଭଳି ସ୍ଥିତି ନାହିଁ। ଚାଉଳ ଉତ୍ପାଦନରେ ଓଡ଼ିଶା ଭାରତରେ ସ୍ୱତନ୍ତ୍ର ପରିଚୟ ହାସଲ କରିଛି। ଅନ୍ୟ ରାଜ୍ୟକୁ ଚାଉଳ ରପ୍ତାନୀ କରି ଓଡ଼ିଶା ଭାରତୀୟ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିଛି। କୃଷି କ୍ଷେତ୍ରର ବିକାଶ ହୋଇଛି। ଚାଷୀଙ୍କର ଆୟକୁ ଦୁଇ ଗୁଣିତ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓଡ଼ିଶା ସୁନାମ ଅର୍ଜନ କରିଛି। ଆଗାମୀ ଦିନରେ ଓଡ଼ିଶା ଭାରତର ଷ୍ଟିଲ କ୍ୟାପିଟାଲ ହେବାକୁ ଯାଉଛି।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଭୁବନେଶ୍ୱର ସ୍ମାର୍ଟସିଟି ସାରା ଭାରତରେ ୧ ନମ୍ବର ହୋଇପାରିଛି। ଆଗାମୀ ଦିନରେ ସ୍ମାର୍ଟସିଟି ଭୁବନେଶ୍ୱରରେ ହକି ପୁରୁଷ ବିଶ୍ୱକପ୍ ସଫଳତାର ସହ ଆୟୋଜନ ହେବାକୁ ଯାଉଛି। ଖାଦ୍ୟ ଯୋଗାଣ, ଆଶ୍ରୟ, ସ୍ୱାସ୍ଥ୍ୟସେବା, ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯାଇଛି। ଯୁବକମାନଙ୍କୁ ଦକ୍ଷତା ବିକାଶ ଯୋଜନାରେ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ ଜାରି ରହିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର, ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏବଂ ତୁଳସୀ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସମ୍ବର୍ଦ୍ଧନା ପ୍ରଦାନ ବେଳେ ନ୍ୟୁଜ ୧୮ ଗ୍ରୁପ୍‌ ଏଡିଟର ରାଜେଶ ରୈନା ଉପସ୍ଥିତ ଥିଲେ।

ଏହି ଅବସରରେ ଆୟୋଜିତ ‘ଓଡ଼ିଶା – ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଆଲୋଚନାରେ ଭାଗ ନେଇଥିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ଯାଇଛି ବୋଲି ସେ କହିଛନ୍ତି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ଅଗଷ୍ଟ ୧୫ରୁ ବର୍ତ୍ତମାନ ସୁଦ୍ଧା ୧.୧ କୋଟି ଲୋକ ଉପକୃତ ହୋଇଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

Comment