ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡୋନେସିଆ ଆକାଶରେ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ସୁମାତ୍ରାର ପଙ୍ଗକଲ୍ ପିନାଙ୍ଗ୍‌ ଯାଉଥିବା ଏକ ବିମାନ ସମୁଦ୍ରରେ ଖସିପଡ଼ିଛି। ବିମାନଟି ସମୁଦ୍ରରେ ଖସି ପଡ଼ିଥିବା ନେଇ ଇଣ୍ଡୋନେସିଆର ସର୍ଚ୍ଚ ଆଣ୍ଡ ରେସ୍‌କ୍ୟୁ ଏଜେନ୍ସୀର ମୁଖପାତ୍ର ୟୁସୁଫ୍ ଲତିଫ୍ ସ୍ପଷ୍ଟ କରିଛନ୍ତି।

ଲାୟନ ଏୟାର ପାସେଞ୍ଜରର ବିମାନଟି ସକାଳ ୬ଟା ୨୦ ମିନିଟରେ ଜାକର୍ତ୍ତାରୁ ଉଡ଼ାଣ ଆରମ୍ଭ କରିଥିଲା। ୭ଟା ୨୦ ମିନିଟରେ ଲ୍ୟାଣ୍ଡ କରିବାର ଥିଲା। ତେବେ ୧୩ ମିନିଟ୍ ପରେ ନିଖୋଜ ହୋଇଯାଇଥିଲା। ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ସହିତ ଏହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଯେଉଁ ସମୟରେ ବିମାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ସେତେବେଳେ ତାହା ପ୍ରାୟ ୨୦୦୦ ଫୁଟ୍ ତଳକୁ ହଠାତ୍ ଖସି ଆସିଥିଲା ବୋଲି ଏୟାର ଟ୍ରାଫିକ୍ କଣ୍ଟ୍ରୋଲର ପକ୍ଷରୁ କୁହାଯାଇଛି।

ଇଣ୍ଡୋନେସିଆର ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ ବିମାନରେ ୧୮୧ ଜଣ ଯାତ୍ରୀ ଥିଲେ। ସେମାନଙ୍କ ସହ ଦୁଇ ଜଣ ପାଇଲଟ୍ ଓ ୬ ଜଣ କ୍ୟାବିନ୍ ମେମ୍ବର ଥିଲେ। ଯାତ୍ରୀଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ମଧ୍ୟ ଥିଲେ।

ବିମାନଟି ଖୋଜି ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ସମୁଦ୍ରରେ ବିମାନର କିଛି କିଛି ଅଂଶ ଭାସୁଥିବା ଦେଖିବାକୁ ମିଳିଛି।

ଲାୟନ ଏୟାର ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥ୍ୟ ସଂଗ୍ରହ ଚାଲିଛି ବୋଲି ସେ କହିଛନ୍ତି।

 

Comment