ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ନୂଆଦିଲ୍ଲୀରେ ସୋମଠାରୁ ଆରମ୍ଭ ହୋଇଛି ‘ଭାରତୀୟ ଭାଷା ସାମ୍ବାଦିକତା’ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର। ବିଭିନ୍ନ ପ୍ରକାର ଗଣମାଧ୍ୟମରେ ଭାରତୀୟ ଭାଷାର ବ୍ୟବହାର ତଥା ପ୍ରୟୋଗ ଉପରେ ଅତିଥି ଓ ଆଲୋଚକମାନେ ଗୁରୁତ୍ୱାରୋପ କରିଛନ୍ତି।

ସେହିପରି ଆଞ୍ଚଳିକ ଗଣମାଧ୍ୟମର ବୃଦ୍ଧି ଏବଂ ଭାରତୀୟ ଭାଷା ସାମ୍ବାଦିକତା ସମ୍ମୁଖୀନ କରୁଥିବା ଆହ୍ୱାନ ଉପରେ ମଧ୍ୟ ବିଶେଷଭାବେ ଆଲୋଚନା ହୋଇଛି।

ଉଦ୍‌ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସଂଖ୍ୟାଲଘୁ ମନ୍ତ୍ରୀ ମୁଖତାର ଆବାସ ନାକ୍‌ଭି ଯୋଗଦେଇଥିଲେ। ମୁଖ୍ୟ ବକ୍ତାଭାବେ ତ୍ରିପୁରା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଜୟ ଧାରୁରକର ଯୋଗଦେଇ ଭାଷା ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଆଇଆଇଏମ୍‌ସିର ମହାନିର୍ଦ୍ଦେଶକ କେ.ଜି. ସୁରେଶ।

ପ୍ରଫେସର ହେମନ୍ତ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଆଲୋଚକଭାବେ ‘ଏଡିଟର୍ସ ଗାଇଡ୍ ଅଫ୍ ଇଣ୍ଡିଆ’ର ପୂର୍ବତନ ଅଧ୍ୟକ୍ଷ ପଦ୍ମଶ୍ରୀ ଆଲୋକ ମେହେଟା, ୟୁନିଭର୍ସିଟି ଅଫ୍ ହାଇଦ୍ରାବାଦର ଉପକୁଳପତି ବି ପି ସଞ୍ଜୟ, ଆଇଆଇଏମ୍‌ସି ଡିନ୍ ପ୍ରଫେସର ବିଜୟ ପରମାର୍, ଆଇଆଇଏମ୍‌ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଭାରତୀୟ ଭାଷା ସାମ୍ବାଦିକତାର ଆମୂଳାନ୍ତ ଦିଗ ଉପରେ ନିଜର ମତ ରଖିଥିଲେ।

‘ଭାରତୀୟ ଭାଷା ସାମ୍ବାଦିକତା: ସମ୍ଭାବନା ଓ ଆହ୍ୱାନ’ ଉପରେ ବୈଷୟିକ ଅଧିବେଶନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ପ୍ରଫେସର ଚାଟାର୍ଜୀ ଭାରତୀୟ ଭାଷା ସାମ୍ବାଦିକତାର ସୁଯୋଗ ଏବଂ ବିଶ୍ୱସ୍ତରରେ ଏହା କିଭଳି ଅସୁବିଧାର ସମ୍ମୁଖୀନ ହେଉଛି, ତାହା ଉପରେ ଆଲୋଚନା କରିଥିଲେ। ବିଶେଷତଃ ଇଂରାଜୀ ଭାଷା ଗଣମାଧ୍ୟମ ସହ କିପରି ଭାରତୀୟ ଆଞ୍ଚଳିକ ଭାଷା ଗଣମାଧ୍ୟମ ସନ୍ତୁଳନ ରକ୍ଷା କରିପାରିବ, ଏହା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ଲାଭ କରିଥିବା ‘ନଇ ଦୁନିଆ’ର ପୂର୍ବତନ ସମ୍ପାଦକ ଆଲୋକ ମେହେଟା, ‘ଆନନ୍ଦ ବଜାର ପତ୍ରିକା’ର ସମ୍ପାଦକ ଜୟନ୍ତ ଘୋଷଲ, ‘ଇମ୍ଫାଲ୍ ପ୍ରେସ୍’ର ସମ୍ପାଦକ ପ୍ରଦୀପ ଫଞ୍ଜୋବମ୍, ‘ନଇ ଦୁନିଆ’ର ମୁଖ୍ୟ ସମ୍ପାଦକ ସହିଦ ସିଦ୍ଧିକ୍ ଓ ଆଇଆଇଏମ୍‌ସି ଅମରାବତୀ କ୍ୟାମ୍ପସର ଆଞ୍ଚଳିକ ନିର୍ଦ୍ଦେଶକ ବିଜୟ ସତୋକର ଯୋଗଦେଇଥିଲେ।

ସେହିପରି ଡିଜିଟାଲ୍ ଗଣମାଧ୍ୟମ କ୍ଷେତ୍ରରେ ଭାଷା ସାମ୍ବାଦିକତାର ଭୂମିକା, ଉପଯୋଗ ଓ ଏହାର ଅଭିବୃଦ୍ଧି ଉପରେ ମଧ୍ୟ ଆଲୋଚନା ହୋଇଥିଲା।

Comment