ଓଡ଼ିଶାଲାଇଭ୍ ବ୍ୟୁରୋ

“ଏପରି କରିବା ମୋର ଭୁଲ, ମୁଁ ଆଉ ଏଭଳି ଭୁଲ କରିବି ନାହିଁ।” ଏହା କହିଛନ୍ତି, କୋରାପୁଟ ଜିଲ୍ଲାର ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରାଣୀ ସସ୍ମିତା ଦାସ।

ନିକଟରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ନିନ୍ଦନୀୟ ଘଟଣା ଘଟିଛି। ଅସ୍ତ୍ରୋପଚାର ଗୃହରେ ରୋଗୀ ନିସ୍ତେଜ ହୋଇ ପଡ଼ି ରହିଥିବା ବେଳେ ସେଲଫି ଉଠାଇବାରେ ବ୍ୟସ୍ତ ଥିଲେ ଜଣେ ମହିଳା ଡାକ୍ତର।

ମେଡିକାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ପ୍ରସବ ପାଇଁ ଜଣେ ଗର୍ଭବତୀଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଟି ଭିତରେ ଭର୍ତି କରାଯାଇଥିଲା। ଅପରେସନ୍ ପାଇଁ ଓଟି ଭିତରକୁ ଯାଇଥିଲେ ୪ ଜଣ ଡାକ୍ତର। ଅସ୍ତ୍ରୋପଚାର ଗୃହରେ ଅପରେସନ କରୁଥିବା ଡାକ୍ତରାଣୀ ସେଲଫି ଉଠାଇବାରେ ବ୍ୟସ୍ତ ଥିଲେ। ପରବର୍ତ୍ତି ସମୟରେ ଏହି ସେଲଫି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ ହୋଇଥିଲା।

ଅସ୍ତ୍ରୋପଚାର ଚାଲିଥିବା ବେଳେ ଡାକ୍ତରାଣୀ ସସ୍ମିତା ଦାସ ନିଜ ମୋବାଇଲରେ ସେଲଫି ନେବାରେ ବ୍ୟସ୍ତ ରହିଥିଲେ ଏବଂ ଓଟି ଭିତରେ ଥିବା ନିୟମକୁ ମଧ୍ୟ ଉଲ୍ଲଂଘନ କରିଥିଲେ ଡାକ୍ତରାଣୀ।

ଘଟଣା ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାସହ  ସିଡିଏମଓ ଲଳିତ ମୋହନ ରଥ କହିଛନ୍ତି, “କୌଣସି ପରିସ୍ଥିତିରେ ଓଟି ଭିତରେ ସେଲଫି ନେବା ଭୁଲ। ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ତେବେ ଏହି ଘଟଣା ଗଣ ମାଧ୍ୟମରେ ପ୍ରସାରିତ ହେବାପରେ ଡାକ୍ତରାଣୀ ଜଣକ ଗଣମାଧ୍ୟମରେ ଏ ନେଇ ଭୁଲ ମାଗିବା ସହ ନିଜର ସ୍ପଷ୍ଟୀକରଣ ମଧ୍ୟ ରଖିଛନ୍ତି।

Comment